୨୦ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପିଲା ଅଫଲାଇନ୍ ରେ ପାଠ ପଢିବେ । ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । ଏଥିସହ କ୍ଲାସରୁମ୍ ପାଠପଢ଼ା ନେଇ ଗାଇଡ୍ ଲାଇନ ଜାରି କରିଛି ବିଭାଗ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପରେ ଏହି ନିଷ୍ପତି ନିଆଯାଇଛି । ଏଥିସହ କୋଭିଡ୍ କଟକଣା ମଧ୍ୟରେ ୧୯ ତାରିଖ ଠାରୁ ହଷ୍ଟେଲ ଖୋଲିବ ।
ନିଷ୍ପତି ଅନୁଯାୟୀ କରୋନା ଗାଇଡଲାଇନ୍ ମାନି ଶ୍ରେଣୀଗୃହରେ ଶିକ୍ଷା ଦାନ କରାଯିବ । କେଂଟନମେଂଟ ଜୋନରେ ରହୁଥିବା ଅଧ୍ୟାପକ, କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ କେହି କଲେଜ କି ବିଶ୍ୱବିଦ୍ୟାଳୟ ଆସିବେ ନାହିଁ । କ୍ୟାମ୍ପସ ଓ ଶ୍ରେଣୀଗୃହରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ନିୟମିତ ବ୍ୟବଧାନରେ ହାତ ଧୋଇବେ କିମ୍ବା ସାନିଟାଇଜ୍ କରିବେ । ଶ୍ରେଣୀଗୃହ, ଲାଇବ୍ରେରୀ ସହ ଲାବୋରେଟୋରିରେ ସାମାଜିକ ଦୂରତା ରକ୍ଷା କରାଯିବ । ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀଙ୍କୁ ନେଇ ଅଲଗା ବ୍ୟାଚ୍ କରି ପଢ଼ାଯିବ । କ୍ୟାମ୍ପସରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଜରୁରୀକାଳୀନ ସ୍ଥିତି ପାଇଁ ଆଇସୋଲେସନ୍ ରୁମ୍ ରଖିବାକୁ କୁହାଯାଇଛି ।
