ଆଜି ଖୁଦୁରୁକୁଣୀ ଓଷା, ଭାଇର ଶୁଭ ମନାସେ ଭଭଣୀ
ଆଜି ଖୁଦୁରୁୁକୁଣୀ ଓଷା । ଓଡିଆଙ୍କ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ । ଏହାକୁ ଭାଲୁକୁଣି ଓଷା ବା ଢିଙ୍କି ଓଷା ମଧ୍ୟ କୁହାଯାଏ । ମୁଖ୍ୟତଃ ଝିଅ ମାନେ ଏହି ଓଷା କରିଥାନ୍ତି । ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି । ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ । ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ । ଏହି ଦିନ ସକାଳୁ ଝିଅମାନେ ଜୁଇ, ଚମ୍ପା କନିଅର ମନ୍ଦାର ଫୁଲ ତୋଲି ମାଳ ଗୁନ୍ଥିଥାନ୍ତି । ପୂଜା ପାଇଁ ସବୁ ଜିନିଷ ଯୋଗାଡ କରିଥାନ୍ତି । ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଏ । ଫୁଲରେ ତୋରଣରେ ମନ୍ଦିର ସଜାଯାଏ ।
ଏହି ଓଷାରେ ସିଂହବାହିନୀ ମା ମଙ୍ଗଳାଙ୍କୁ ଖୁଦଭଜା ଲାଗି ହୋଇଥାଏ । ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି କିମ୍ବଦନ୍ତୀରେ ରହିଛି । ଖୁଦରୁ ଏହି ଓଷାର ନାମ ଖୁଦୁରୁକୁଣୀ ହୋଇଛି । ଗାଁ ମାନଙ୍କରେ ଢିଙ୍କି ଶାଳରେ ଖୁଦୁରୁକୁଣୀଙ୍କୁ ପୂଜା କରାଯାଏ । ଏହି ଓଷାର ଏକ ବହିରେ ତଅପୋଇ କଥା ରହିଛି । ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି ।
ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ପାଇଁ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ପରେ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବା ଦିନଠୁ ଏହି ଓଷାର ଆରମ୍ଭ । ବିଶେଷ କରି ଭଉଣୀମାନେ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା କରିଥାନ୍ତି । ମା ମଙ୍ଗଳାଙ୍କୁ ଅଳ୍ପକରେ ସନ୍ତୁଷ୍ଟ କରିଥିଲା ତଅପୋଇ । ପାଖରେ କିଛି ନଥିବାରୁ ସେ ଖୁଦ ମୁଠାଏ ଦେଇ ମାଙ୍କର ପୂଜାର୍ଚ୍ଚନା କରିଥିଲା ।ଶରଧାରେ ତା ପାଖରେ ଖୁଦ ମୁଠାଏ ଥୋଇ ଦେଲେ ବି ସେ ସେଥିରେ ଖୁସ୍ । ଦିନେ ଘଞ୍ଚ ଜଙ୍ଗଲ ଭିତରେ ସେହି ଖୁଦ ମୁଠାଏ ରଖି ଭାଇ ମାନଙ୍କର ମଙ୍ଗଳ ମନାସୀ ଓଷା କରିଥିଲା ତଅପୋଇ । ଆଉ ୫ ପାଳି ଓଷା କରି ପାଇଥିଲା ଭାଇମାନଙ୍କୁ । ସେବେଠୁ ପ୍ରତିଟି ଓଡିଆ ଘରେ ଭଉଣୀମାନେ ଭୋଦୁଅଁ ବା ଭାଦ୍ରବ ମାସରେ ଭାଲୁକୁଣୀ ଓଷା ବା ଖୁଦୁରୁକୁଣୀ ଓଷା କରିଆସୁଛନ୍ତି ।
ଅଲିଅଳି ତଅପୋଇ । ସାତ ଭାଇରେ ଗୋଟିଏ ଭଉଣୀ । ଯାହା ଜିଦ୍ କରେ ସାଙ୍ଗେସାଙ୍ଗେ ତାହା ପୁରଣ ହୋଇଯାଏ । ତା ଜିଦ୍ ରେ ସୁବର୍ଣ୍ଣ କୁଲାଇ ତିଆରି କରିଥିଲେ ସାଧବ । ଅଧା ଚାନ୍ଦରେ ସାଧବଙ୍କର ଦେହାନ୍ତ ହୋଇଥିବାବେଳେ ପୁରା ଚାନ୍ଦରେ ସାଧବାଣୀଙ୍କର ମୃତ୍ୟୁ ହୋଇଥିଲା । ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ । ଦିନେ 7 ଜଣ ସାଧବ ପୁଅ ମଧ୍ୟ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ । ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ । ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ । ହେଲେ ତାହା ଥିଲା କିଛି ଦିନ ପାଇଁ ।
ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ । ଭାଉଜମାନଙ୍କ ସିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା । ଭାଉଜମାନେ ରାଣ୍ଢୀ ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ । ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ । ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା । ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା । କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ । 6 ଭାଉଜଣଙ୍କୁ ଛାଡି ସବୁଠାରୁ ସାନ ଭାଉଜ କିନ୍ତୁ ତଅପୋଇ ପ୍ରତି ଥିଲା ଭଲପାଇବା । ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ । ସ୍ନେହ ଆଦର କରୁଥିଲେ ।
ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଥିଲା । ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା । ପାଖରେ କିଛି ନଥିବାବେଳେ ସେ ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା । ସେଦିନ ଥିଲା ରବିବାର । ସେହିଦିନଠୁ ୫ ପାଳି ଓଷା କରିଥିଲା ତଅପୋଇ । ତା ଡାକ ଶୁଣି ମା ମଙ୍ଗଳା ବା ଖୁଦୁରୁକୁଣି ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ । ସେହି ଜଙ୍ଗଲରେ ତଅପୋଇ ପୂଜା କରୁଥିବା ବେଳେ ଭାଇମାନେ ଏକ କୁଆଁରୀ କନ୍ୟାର କାନ୍ଦ ବାରି ତା ପାଖୁ ଆସି ଦେଖିଥିଲେ । ଆଉ ପାଇଥିଲେ ଭଉଣୀ ତଅପୋଇକୁ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ହେଲେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ କହିଥିଲେ । ଶେଷରେ ଭଉଣୀ ତଇପୋଇକୁ ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କାଟିବାକୁ ନିର୍ଦେଶ ଦେଇଥିଲେ ଭାଇମାନେ । ଆଉ ତଅପୋଇ ସମସ୍ତଙ୍କ ନାକ କାଟିଥିଲା ସତ ହେଲେ ସାନଭାଉଜଙ୍କ ବେକରେ ଅଳଙ୍କାର ପକାଇ ତାଙ୍କୁ ସ୍ନେହ କରିଥିଲା । ଆଉ ସେବେଠୁ ହୋଇ ଆସୁଛି ଖୁଦୁରୁକୁଣୀ ଓଷା ।
