କରମା ଡାଳ ବିସର୍ଜନ ବେଳେ ଅଘଟଣ : ପାଣିରେ ବୁଡି ୭ ମୃତ
ଲାତେହାର : ଝାରଖଣ୍ଡ ଲାତେହାର ଜିଲାର ବାଲୁମାଥ ଥାନା ଅନ୍ତର୍ଗତ ଶେରେଗାଡ଼ା ଅଞ୍ଚଳରେ ଏକ ବଡଧରଣର ଅଘଟଣ ଘଟିଛି। କରମା ଡାଳ ବିସର୍ଜନ ବେଳେ ପାଣିରେ ବୁଡି ୭ ଝିଅଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ବୟସ ୧୦ ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଯେ, ଟୋରି-ବାଲୁମାଥ-ଶିବପୁରୀ ରେଲୱେ ଲାଇନ ନିର୍ମାଣ ପାଇଁ ଖୋଲାଯାଇଥିବା ଗଭୀର ଗାତରେ ଝିଅମାନେ କରମା ଡାଳ ବିସର୍ଜନ କରିବାକୁ ଯାଇଥିଲେ। ସେଠାରେ ଏହି ଅଘଟଣ ଘଟିଛି । ଖବରପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଝିଅମାନଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳେ ୪ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ରେଖା କୁମାରୀ(୧୮), ଲକ୍ଷ୍ମୀ କୁମାରୀ (୮), ମିନା କୁମାରୀ (୮), ପିଙ୍କି କୁମାରୀ(୧୫), ସୁଷମା କୁମାରୀ (୭), ସୁନିତା କୁମାରୀ (୧୭)। ମୃତକଙ୍କ ମଧ୍ୟରେ ୩ ଜଣ ଭଉଣୀ ରହିଥିବା ବେଳେ ସମସ୍ତ ଝିଅ ମନନଡିହା ଅଞ୍ଚଳର ବୋଲି ଜଣାପଡିଛି।
