୨୦ କୋଟିରୁ ଅଧିକ ଟ୍ୟାକ୍ସ ଫାଙ୍କିଛନ୍ତି ସୋନୁ ସୁଦ : ଆୟକର ବିଭାଗ
ମୁମ୍ବାଇ : ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଡୁଆ ବଢିଚାଲିଛି। ଆୟକର ବିଭାଗ ଟିମ ଲଗାତାର ଚତୁର୍ଥ ଦିନ ସୋନୁ ସୁଦଙ୍କ ସହ ଜଡିତ ୨୮ ଠିକଣାରେ ଚଢ଼ଉ କରିଛି। ସୂତ୍ର ଅନୁଯାୟୀ, ଆୟକର ବିଭାଗର ଚଢ଼ଉ ବେଳେ ଟ୍ୟାକ୍ସରେ ବଡ ହେରଫେର ହୋଇଥିବା ପ୍ରମାଣ ମିଳିଛି। ଆୟକର ବିଭାଗ ଟିମ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁରୁଗ୍ରାମରେ ଏକାସାଙ୍ଗେ ଚଢ଼ଉ କରିଛି। ଆୟକର ବିଭାଗ ଅନୁଯାୟୀ, ଯାଞ୍ଚ ବେଳେ ଟିମକୁ ପ୍ରାୟ ୨୦ କୋଟି ଟ୍ୟାକ୍ସ ହେରଫେର ହୋଇଥିବା ଜଣାପଡିଛି। ସର୍ଚ୍ଚ ବେଳେ ଆୟକର ବିଭାଗ ଟିମ ନଗଦ ୧ କୋଟି ୮ ଲକ୍ଷ ଟଙ୍କା ଜବତ କରିଛି ଏବଂ ୧୧ଟି ଲକର ବିଷୟରେ ଜଣାପଡିଛି। ୨୦୨୦ ଜୁଲାଇ ୨୧ ତାରିଖରୁ ଏବେ ସୁଦ୍ଧା ସୋନୁ ସୁଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚ୍ୟାରିଟି ଫାଉଣ୍ଡେସନ ପ୍ରାୟ ୧୮.୯୪ କୋଟି ଟଙ୍କା ଦାନ ଭାବେ ଏକତ୍ର କରିଛି ଯେଉଁଥିରେ ୧.୯ କୋଟି ଟଙ୍କା ରିଲିଫ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ଏବଂ ୧୭ କୋଟି ଟଙ୍କା ଏବେ ବି ଅଛି। ଯାଞ୍ଚ ବେଳେ ଜଣାପଡିଛି ଯେ ଏଫସିଆରଏ ଉଲ୍ଲଙ୍ଘନ କରି ସୋନୁ ସୁଦଙ୍କ ଏହି ଚ୍ୟାରିଟି ଫାଉଣ୍ଡେସନରେ ୨.୧ କୋଟି ଟଙ୍କା ଜମା କରାଯାଇଛି।
ଏକାଦିକ୍ରମେ ତିନିଦିନ ଧରି ମୁମ୍ବାଇ ବାସଭବନ ତଲାସ କରିବା ପରେ ଅଭିନେତା ସୋନୁ ସୁଦ୍ ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଥିବା କଥା ଆଜି ଏକ ବିବୃତିରେ ଆୟକର ବିଭାଗ କହିଛି। ଆୟକର ବିଭାଗ କହିଛି, ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ୍ (ଫରେନ୍ କଣ୍ଟ୍ରିବ୍ୟୁସନ୍ (ରେଗୁଲେସନ୍) ଆକ୍ଟ୍) ଉଲ୍ଲଂଘନ କରି ସୁଦ୍ଙ୍କ ଲାଭରହିତ ସଂସ୍ଥାନ ‘ସୁଦ୍ ଚ୍ୟାରିଟି ଫାଉଣ୍ଡେସନ୍’ ମଧ୍ୟ ଗୋଟାଏ ‘କ୍ରାଉଡ୍ଫଣ୍ଡିଙ୍ଗ୍ ପ୍ଲାଟ୍ଫର୍ମ’ ଜରିଆରେ ଦରିଆପାରି ଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗାଡ଼ କରିଛି। ଆୟକର ବିଭାଗ ଆହୁରି ମଧ୍ୟ କହିଛି, ଅଭିନେତା ଏବଂ ତାଙ୍କ ସହଯୋଗୀମାନଙ୍କ ଘର ତଲାସ ସମୟରେ ଟିକସ ଫାଙ୍କି ସମ୍ବନ୍ଧୀୟ ଅପରାଧମୂଳକ ପ୍ରମାଣ ମିଳିଛି। ବିନା ବନ୍ଧକରେ ଅନେକ ଜାଲ୍ ସଂସ୍ଥାନରୁ ଜାଲ୍ ଋଣ ଭାବେ ଆସୁଥିବା ତାଙ୍କର ହିସାବ ବହିର୍ଭୂତ ଉପାର୍ଜନର ଉପାୟ ଖୋଜି ବାହାର କରିବା ଥିଲା ଆମର ଉଦ୍ଦେଶ୍ୟ। ଏ ଧରଣର ୨୦ଟି ‘ଏଣ୍ଟ୍ରି’ ହୋଇଥିବା କଥା ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଏହା ସ୍ବୀକାର କରିଛନ୍ତି। ନଗଦ ଟଙ୍କା ବିନିମୟରେ ‘ଚେକ୍’ ଜାରି କରିଛନ୍ତି ବୋଲି ମଧ୍ୟ ସେମାନେ ମାନିଛନ୍ତି। ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଆକାଉଣ୍ଟ୍ରେ ଜମା ଅର୍ଥରାଶିକୁ ଋଣ ଭାବେ ଦର୍ଶାଇବାକୁ ଆବଶ୍ୟକ ରସିଦ୍କୁ ଜାଲିଆତି କରାଯାଇଥିବା କଥା ବି ଜଣାପଡ଼ିଛି। ବିନିଯୋଗ ଏବଂ ସମ୍ପତ୍ତି ଖରିଦ କରିବା ଉଦ୍ଦେଶ୍ୟରେ ଉକ୍ତ ଜାଲ୍ ଋଣ ବ୍ୟବହାର କରାଯାଇଛି। ଏପର୍ଯ୍ୟନ୍ତ ଜଣାପଡ଼ିଥିବା ଟିକସ ଫାଙ୍କି ଅର୍ଥରାଶି ୨୦ କୋଟିରୁ ଅଧିକ ବୋଲି ଆୟକର ବିଭାଗ କହିଛି।
