ନ୍ୟୁଜିଲାଣ୍ଡ ପାକିସ୍ତାନ କ୍ରିକେଟ୍ ଦଳର ହତ୍ୟା କରିଦେଲା : ଅଖତର
ନୂଆଦିଲ୍ଲୀ : ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବାର କେଇ ମିନିଟ୍ ପୂର୍ବରୁ ଏମିତି ଖବର ଆସିଲା ଯାହା ପାକିସ୍ତାନ ସମେତ ପୂରା କ୍ରିକେଟ୍ ଦୁନିଆରେ ଚହଳ ପକାଇଛି। ନ୍ୟୁଜିଲାଣ୍ଡ ରାଓ୍ଵଲପିଣ୍ଡିରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ୍ କରିଛି। ଗସ୍ତ ରଦ୍ଦ ହେବାର କାରଣ କରୋନା ଭାଇରସ୍ ନୁହେଁ। କାରଣ ଥିଲା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା। ନ୍ୟୁଜିଲାଣ୍ଡ ସରକାର ନିଜ ଦଳକୁ ଶୀଘ୍ର ସ୍ଵଦେଶ ଫେରିବାକୁ ଆଦେଶ ଦେଇଛନ୍ତି। ନ୍ୟୁଜିଲାଣ୍ଡର ଏମିତି ନିଷ୍ପତ୍ତି ପରେ ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟ୍ର ଦୁଃଖ ପ୍ରକାଶ କରିବା ସହ କ୍ରୋଧିତ ମଧ୍ୟ ହୋଇଛନ୍ତି। ସୋଏବ ଅଖତର ତ ନ୍ୟୁଜିଲାଣ୍ଡ ଉପରେ ପାକିସ୍ତାନ କ୍ରିକେଟ୍ର ହତ୍ୟା କରିଥିବା ଅଭିଯୋଗ ଲଗାଇଛନ୍ତି। ସୋଏବ ଟ୍ଵିଟ୍ କରିଛନ୍ତି ଯେ, ନ୍ୟୁଜିଲାଣ୍ଡ ପାକିସ୍ତାନ କ୍ରିକେଟ୍ ଦଳର ହତ୍ୟା କରି ଦେଲା। ନ୍ୟୁଜିଲାଣ୍ଡଠୁ ଆମେ ଏମିତି ଆଶା ରଖିନଥିଲୁ। ସୋଏବ ଲେଖିଛନ୍ତି, ନ୍ୟୁଜିଲାଣ୍ଡକୁ ମନେ ପକାଇ ଦେବାକୁ ଚାହୁଁଛି ଯେ, ଖ୍ରୀଷ୍ଟଚର୍ଚ୍ଚ ଆକ୍ରମଣରେ ନଅ ଜଣ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଏହା ସତ୍ତ୍ଵେ ପାକ୍ ସେମାନଙ୍କ ଖେଳାଳିଙ୍କ ସମର୍ଥନରେ ଛିଡା ହୋଇଥିଲା। ପାକିସ୍ତାନ କରୋନାର ଅତି ଶୋଚନୀୟ ସ୍ଥିତିରେ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା। ସେହି ସମୟରେ ପାକିସ୍ତାନ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡର ଅଧିକାରୀ ଖରାପ ବ୍ୟବହାର କରିଥିଲେ। ସେହିପରି ବିନା ଯାଞ୍ଚ କରି ଏମିତି ନିଷ୍ପତ୍ତି ନେବା ଠିକ୍ ନୁହେଁ। ଏହା ଉପରେ ଆଲୋଚନା କରାଯାଇ ପାରିଥାନ୍ତା। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ଏବଂ ଆଶ୍ଵାସନା ମଧ୍ୟ ଦେଲେ। ତଥାପି ସେମାନେ ମାନିଲେ ନାହିଁ। ପାକିସ୍ତାନ ସୁରକ୍ଷିତ ଭାବେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଓ୍ଵେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଜିମ୍ବାଓ୍ଵେ ଓ ପିଏସଏଲର ସଫଳ ଆୟୋଜନ କରିଥିଲା।
ସୂଚନା ଯେ, ନ୍ୟୁଜିଲାଣ୍ଡ ଦଳକୁ ଏମିତି କଠୋର ନିଷ୍ପତ୍ତି ନିଜ ସରକାରଙ୍କ ଚେତାବନୀ ପରେ ନେବାକୁ ପଡିଛି। ନ୍ୟୁଜିଲାଣ୍ଡର ସୁରକ୍ଷା ଏଜେନ୍ସି ଆଲର୍ଟ କରିବା ପରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ହୋଟେଲ୍ରୁ ଷ୍ଟାଡିୟମକୁ ଯିବାକୁ ଦିଆଯାଇନଥିଲା। ଏହାର କିଛି ସମୟ ପରେ ପାକିସ୍ତାନ ଗସ୍ତ ବାତିଲ୍ ଘୋଷଣା କରିଥିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଦଳ ଆଜି ରାତିରେ ସ୍ଵଦେଶ ଫେରିବାକୁ ପ୍ରସ୍ତୁତି ଚଳାଇଛି। ସମସ୍ତ ପ୍ରକାରର ଆଶ୍ଵାସନା ପରେ ମଧ୍ୟ ନ୍ୟୁଜିଲାଣ୍ଡ ଦଳ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଥିଲା। ଏହି ଘଟଣା ପାକିସ୍ତାନ କ୍ରିକେଟ୍ ଇତିହାସରେ ଆଉ ଏକ ଲଜ୍ଜାଜନକ ଅଧ୍ୟାୟ ଯୋଡିଛି। ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ହେଲେ ପାକିସ୍ତାନର ସବୁ ପ୍ରୟାସ ନିଷ୍ଫଳ ହୋଇଥିଲା। ଏହି ଘଟଣାରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଖୁବ୍ ନିନ୍ଦିତ ହେବାକ ପଡିଛି। ସାମାଜିକ ଗଣମାଧ୍ୟମରେ ପାକିସ୍ତାନବାସୀ ମଧ୍ୟ ଏହାକୁ ଲଜ୍ଜାଜନକ ଘଟଣା ଦର୍ଶାଇଛନ୍ତି। ନ୍ୟୁଜିଲାଣ୍ଡର ପାକିସ୍ତାନ ଗସ୍ତ ରଦ୍ଦ ହେବା ପରେ ଏବେ ଇଂଲଣ୍ଡ ସିରିଜ୍ ମଧ୍ୟ ବିପଦରେ ପଡିଛି। ଇଂଲଣ୍ଡକୁ ଅକ୍ଟୋବରରେ ପାକିସ୍ତାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଇଂଲଣ୍ଡ ଘରୋଇ ଦଳ ବିରୋଧରେ ଟି-୨୦ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆର ମଧ୍ୟ ଆସନ୍ତାବର୍ଷ ପାକିସ୍ତାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଅଷ୍ଟ୍ରେଲିଆ ୨ଟି ଟେଷ୍ଟ, ୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍ ଖେଳିବ। ଅଷ୍ଟ୍ରେଲିଆ ଦଳ ୧୯୯୮ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ।
