ସିବିଆଇ ବିଲଡିଂର ବେସମେଣ୍ଟରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ସିବିଆଇ ବିଲଡିଂର ବେସମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବାହାର କରାଯାଇଛି। ଅଗ୍ନିଶମ ବିଭାଗର ଅନେକ ଗାଡି ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଦିଲ୍ଲୀ ଲୋଧି ରୋଡ଼ ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି।
ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବିଲଡିଂର ବେସମେଣ୍ଟରୁ ଧୂଆଁ ବାହାରୁଥିବା ନଜର ଆସିଥିଲା। କିଛି ସମୟ ପରେ ଭିତରୁ ନିଆଁ ହୁଳା ବାହାରୁଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ଭିତରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ବିଲଡିଂ ଖାଲି କରିବାକୁ କୁହାଯାଇଥିଲା। ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ କେହି ହିତାହତ ହୋଇଥିବା ସୂଚନା ମିଳିନାହିଁ। ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ। ସିବିଆଇ ଦେଶର ସବୁଠାରୁ ଟପ ମାମଲାର ଯାଞ୍ଚ କରିଥାଏ। ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ ସ୍ଥିତ ଲୋଧି ରୋଡ଼ରେ ଅବସ୍ଥିତ। ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ମୁଖ୍ୟ ମାମଲା ସହ ଜଡିତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ରଖାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ମଧ୍ୟ ସିବିଆଇ ବିଲଡିଂରେ ନିଆଁ ଲାଗିଥିଲା। ସେତେବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଥିଲା। ତେବେ ଏଥର ନିଆଁ ଲାଗିବାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଯାଞ୍ଚ ଚାଲିଛି।
