ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଈ ଜଣଙ୍କର ମୃତ୍ୟୁ
ପାରାଦ୍ୱୀପ : ବିଶ୍ୱକର୍ମା ପୂଜା ଛୁଟିର ମଜା ନେବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଆଇଓସିଏଲ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବିହାର ମୁଜାଫରପୁର ର ବିବେକ କୁମାର ସିଂ ଓ ତାଙ୍କର ଅନ୍ୟ ତିନିଜଣ ସାଙ୍ଗ ମିଶି ବୁଲିବାକୁ ଆସିଥିଲେ । ସେମାନେ ୪ ଜଣ ସାଙ୍ଗ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆ ନିକଟ ସମୁଦ୍ର ଢ଼େଉରେ ଗାଧୋଉଥିବା ବେଳେ ୩ ଜଣ ଢ଼େଉ ମାଡ଼ରେ ସମୁଦ୍ର ଭିତରକୁ ଖସିଯାଇଥିଲେ । ସେଠାରେ ସୁତି ପକାଇ ମାଛ ଧରୁଥିବା ମତ୍ସ୍ୟଜୀବୀ ମାନେ ତିନିଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ବିବେକ ସିଂ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ସେଠାରେ ପେଟ୍ରୋଲିଂ କରୁଥିବା ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଧିକାରୀ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ବନ୍ଦର ଚିକିତ୍ସାଳୟ ରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପକ୍ଷରୁ ଶବ ଜବତ କରାଯାଇ ସଂରକ୍ଷିତ ରଖାଯିବା ସହିତ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି । ଅନ୍ୟ ଦୁଇଜଣ ଯୁବକ ସୁସ୍ଥ ରହିଥିବା ପୋଲିସ ପ୍ରକାଶ କରିଛି ।
