୨୦୨୩ ସୁଦ୍ଧା ଝାରସୁଗୁଡ଼ାରେ ଷ୍ଟାଡିୟମରେ ଖେଳାଯିବ ରଣଜି ଟ୍ରଫି : ସ୍ୱାସ୍ଥ୍ୟମନ୍ତ୍ରୀ
- ପ୍ରସ୍ତୁତି ଜରୁରୀକାଳୀନ ଭାବରେ କରିବା ପାଇଁ ନିର୍ଦ୍ଧେଶ
ଝାରସୁଗୁଡ଼ା : ଆସନ୍ତା ୨୦୨୩ ସୁଦ୍ଧା ଝାରସୁଗୁଡ଼ାରେ ଷ୍ଟାଡିୟମ ଜାତୀୟ ସ୍ତରର କ୍ରିକେଟ ମ୍ୟାଚ ଆୟୋଜନ ଲାଗି ଯୋଗ୍ୟତା ଅର୍ଜନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଝାରସୁଗୁଡ଼ାରେ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମର ପରିକଳ୍ପନା କରାଯାଇ ଓସିଏକୁ ଏହାର ପଡ଼ିଆର ଉନ୍ନତିକରଣ, ଗ୍ୟାଲେରୀରେ ଛାତ, ଫ୍ଲଡ୍ଲାଇଟ୍, ଖେଳାଳୀଙ୍କ ଡ୍ରେସିଂ ରୁମ, ପଡ଼ିଆରେ ଘାସ ଲଗାଯିବା, ଟର୍ଫିଂ ପିଚ୍ ତିଆରି ଆଦି କାର୍ଯ୍ୟ ପାଇଁ ଆବଶ୍ୟକ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି ।
ଜିଲାପାଳଙ୍କ କାର୍ଯ୍ୟାଳୟର ଡିଏମ୍ଏଫ୍ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏକ ବୈଠକରେ ଓସିଏ କର୍ମକର୍ତା ତଥା ବୈଷୟିକ ଟିମ ସଦସ୍ୟଙ୍କ ସହ ଆଲୋଚନାରେ ଭାଗ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ମହାମାରୀ କରୋନା ଯୋଗୁଁ ଝାରସୁଗୁଡ଼ାର ପ୍ରଗତିରେ ବାଧା ପହଂଚିଛି ସତ ହେଲେ ଆଗକୁ ବିକାଶ କାର୍ଯ୍ୟକୁ ତ୍ୱରିତ କରାଯିବା ସହ ଷ୍ଟାଡିୟମ ପୂର୍ଣ୍ଣାଙ୍ଗ ରୂପ ନେବା ଦିଗରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟକୁ ଆଗେଇ ନିଆଯିବ । ଅର୍ଥର ଆବଶ୍ୟକତାକୁ ପୂରଣ କରାଯିବା ସହ କ୍ରୀଡ଼ା ଭିତିଭୂମି ପୂର୍ଣ୍ଣ ବିକଶିତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମତ ରଖିଥିଲେ । ଦୁଇ ଦିନିଆ ଗସ୍ତ ରେ ଝାରସୁଗୁଡା ଆସି ଥିବା ଓସିଏର ଗ୍ରାଉଣ୍ଡ ଟେକ୍ନିକାଲ କମିଟିର ଅଧ୍ୟକ୍ଷ ଧିରେନ ପଲେଇ, ସଦସ୍ୟ ଦେବାଶିଷ ପାଢୀ, ଇଂ ବିଷ୍ଣୂ ପ୍ରସାଦ ମହାପାତ୍ର, ହୃଷିକେଶ ସିଂ ପ୍ରମୁଖ ଆଲୋଚନାରେ ଭାଗ ନେଇ ଝାରସୁଗୁଡା ଓ ବ୍ରଜରାଜନଗର ଗ୍ରାଉଣ୍ଡର ସର୍ଭେ କରାଯାଇଥିବା ସଂପର୍କରେ ପ୍ରକାଶ କରି ଝାରସୁଗୁଡା ପଡ଼ିଆର ଉନ୍ନତିକରଣ ଲାଗି ବିଭିନ୍ନ ପ୍ରସ୍ତାବ ରଖିଥିଲେ । କଟକର ବାରବାଟୀ ଷ୍ଟାଡିୟମ ଠାରୁ ଅଧିକ ସ୍ଥାନ ଏହି ଷ୍ଟାଡିୟମରେ ରହିଥିବା ସାଂଗକୁ ଡ୍ରେନେଜ, ରାସ୍ତା, ଗ୍ୟାଲେରୀ ବ୍ୟବସ୍ଥା ଆଦି ଭଲ ରହିଥିବା କହିଥିଲେ । ଖେଳାଳୀଙ୍କ ଡ୍ରେସିଂ ରୁମ ପାଇଁ ଗୋଟିଏ ଗ୍ୟାଲେରୀକୁ ଭଂଗା ଯାଇପାରେ ଅବା ଏୟାରପୋର୍ଟ ଅଥରିଟି ଠାରୁ ଅନୁମତି ନେଇ ଗ୍ୟାଲେରୀ ଉପରେ ଏହାର ନିର୍ମାଣ କରାଯାଇ ପାରେ । ଅନ୍ୟ ପକ୍ଷରେ କ୍ରିକେଟ ଏବଂ ଆଥଲେଟିକ୍ସ ପାଇଁ ଷ୍ଟାଡିୟମ ଭିତରେ ବ୍ୟବସ୍ଥା କରାଯାଉଥିବା ବେଳେ ଫୁଟବଲ, ହକି ଆଦି ଲାଗି ଷ୍ଟାଡିୟମ ବାହାରେ ପଡ଼ିଆ ଓ ଗ୍ୟାଲେରୀ ପ୍ରସ୍ତୁତ ଲାଗି ପ୍ରସ୍ତାବ ଗ୍ରହଣ କରାଯାଇଛି । ଷ୍ଟାଡିୟମର ମୃତିକ ପରୀକ୍ଷା ସହ ବାଲି ଭର୍ତି କରାଯାଇ ଉନ୍ନତିକରଣ ଲାଗି ଯୋଜନା ପ୍ରସ୍ତୁତ ହେବ । ବାହାରେ ପ୍ରାକ୍ଟିସ ପିଚ୍ ନିର୍ମାଣ, ପଡ଼ିଆର ସରଫେସ ଓ ଗ୍ରାଉଣ୍ଡ ୱାଟର୍ ନିଷ୍ପାସ ଲାଗି ସ୍ୱତନ୍ତ୍ର ଡ୍ରେନେଜ ବ୍ୟବସ୍ଥା, ୱାଟର୍ ସ୍ପ୍ରିଙ୍କଲର୍, ଦୁଇ ଫୁଟ୍ ବାଲି ପୋତାଯିବା ଆଦି ସଂପର୍କରେ ଆଲୋଚନା କରିଥିଲେ । ଦିବାରାତ୍ର ମ୍ୟାଚ ପାଇଁ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ଡ୍ରଇଂ ଡିଜାଇନିଂରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଛି ।
ଷ୍ଟାଡିୟମର ଉନ୍ନତିକରଣ ଦିଗରେ ଓସିଏ କନସଲଟେନ୍ସି ଦାୟିତ୍ୱ ତୁଳାଇବା ସହ ପରିଚାଳନା ଓ ରକ୍ଷଣାବେକ୍ଷଣ ଭାର ମୁଣ୍ଡେଇବ ବୋଲି କର୍ମକର୍ତା ମତ ରଖିଥିଲେ । ଏ ଦିଗରେ ରାଜ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା କରି ଜିଲ୍ଳା କ୍ରିକେଟ ଆସୋସିଏସନ ସହିତ ଚୁକ୍ତି ସ୍ୱାକ୍ଷର କରାଯିବ ବୋଲି ମନ୍ତ୍ରୀ କହିଥିଲେ । ପଡ଼ିଆର ଉନ୍ନତିକରଣ ଲାଗି ଅନ୍ୟୁନ ୪ କୋଟି ଟଙ୍କାର ଆବଶ୍ୟକତା ରହିଛି । ଗ୍ୟାଲେରୀ ରୁଫିଂ ସାଂଗକୁ ଅନ୍ୟାନ୍ୟ ଆନୁସଂଗିକ ଖର୍ଚ୍ଚ ତୁଳାଇବା ଲାଗି ଆବଶ୍ୟକ ହେଉଥିବା ପାଣ୍ଠି ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ । ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସାମଲ ଓସିଏର ବୈଷୟିକ କମିଟିକୁ କହିବା ପରେ ଆସନ୍ତା ୧୫ ଦିନ ଭିତରେ ଏହା ସଂପନ୍ନ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଥିଲା । ଜିଲ୍ଳା କ୍ରୀଡା ସଂଘର ସଭାପତି ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଥିଲେ ଏମସିଏଲ୍ ପକ୍ଷରୁ ପ୍ରଦତ ୧୫.୪୮ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମର ନିର୍ମାଣ କରାଯାଇଛି । ସ୍ୱିମିଂ ପୁଲ୍ ଏବଂ ଅନ୍ୟାନ୍ୟ ଆନୁସଂଗିକ ବ୍ୟୟ ଲାଗି ୮ କୋଟି ଟଙ୍କା ବରାଦ କରାଯାଇ ଇଡ୍କୋକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି । ଯେଉଁଥିରେ ୩.୧୩ କୋଟି ଟଙ୍କାର ସ୍ୱିମିଂ ପୁଲ୍ ଏବଂ ୪.୭୬ କୋଟିରେ ଗ୍ରାଉଣ୍ଡ ଟର୍ଫିଂ ଆଦି ବ୍ୟୟ ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ କହିଥିଲେ । ବୈଠକରେ ଓସିଏର ଯୁଗ୍ମ ସଂପାଦକ ମେହତାବ ଖାନ, ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରଜ୍ଜ୍ୱଳ ପଟେଲ, ପ୍ରଶାନ୍ତ ଜେନା, ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ତାପସରାୟ ଚୌଧୁରୀ,ଉପ-ସଭାପତି ଜୀବନ ମହାନ୍ତି, ବିଜୟ ବେହେରା, ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଓସିଏ ର ବରିଷ୍ଠ ସଦସ୍ୟ ଦୁଲାଳ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ,ପ୍ରଦୀପ କୁମାର ସାହୁ ପିଡି ଡିଆର୍ଡିଏ,ତପିରାମ ମାଝି ଉପ- ଜିଲ୍ଲାପାଳ ଶିବ କୁମାର ଟପୋ, ଆଲୋମଣି ସେଠି, ପୂର୍ତବିଭାଗ ଯନ୍ତ୍ରୀ ପ୍ରଦିପ୍ତ କୁମାର ନଥ ,ଜିଲ୍ଳା କ୍ରୀଡା ଅଧିକାରୀ ସୁଶିଲ କୁମାର ମିଶ୍ର ,ଜିଲ୍ଳା ଲୋକ ସଂପର୍କ ଅଧିକାରୀ ଅଜୟ କୁମାର ଜେନା ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ, ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ,ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇ ଥିଲେ ।


