ପାଣିରେ ଭାସି ଯାଇଥିବା ବାପା ପୁଅଙ୍କ ମୃତଦେହ ଉଦ୍ଧାର
ଯାଜପୁର : ଯାଜପୁର ଜିଲା ବରି ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁରେ ବନ୍ୟା ପାଣିରେ ଭାସି ଯାଇଥିବା ବାପା ପୁଅଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଛନ୍ତି । ମୃତକ ହେଲେ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର ବାପା କିଶୋର ସିଂ ଓ ପୁଅ କୈଳାସ ସିଂ । ବୁଧବାର ଦିନ ଗାଈକୁ ଉଦ୍ଧାର କରିବାକୁ ଯାଇ ଭାସିଯାଇଥିଲେ ବାପା ଓ ପୁଅ । କିଶୋର ଗାଈକୁ ବାନ୍ଧୁଥିବା ସମୟରେ ଗାଈ ଭିଡ଼ି ନେଇଥିଲା। ଘାଇ ଯୋଗୁ ସ୍ଥାନୀୟ ଅଞ୍ଚଳ ପୁରା ଜଳମଗ୍ନ ଥିବାରୁ ଗାଈ ଓ କିଶୋର ଆଖି ପିଛୁଳାକେ ଭାସି ଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ କୈଳାସ ମଧ୍ୟ ବନ୍ୟା ପାଣିରେ ଭାସିଯାଇଥିଲେ।
ସୂଚନା ଯେ, ବୁଧବାର ଦିନ ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ବାପା କିଶୋର ସିଂ ନଦୀରେ ଖସି ପଡିଥିଲେ। ଏହା ଦେଖି ସେଠାରେ ଥିବା ତାଙ୍କ ପୁଅ କୈଳାସ ସିଂ ନଦୀରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନଦୀ ସୁଅରେ ଉଭୟ ବାପପୁଅ ଭାସି ଯାଇଥିଲେ। ଖବର ପାଇ ବାପ ପୁଅ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ହେଲେ ତାଙ୍କୁ ଉଦ୍ଧାର କରିପାରି ନଥିଲେ । ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟରେ ବରୀ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ଆଜି ସକାଳୁ ଉଭୟଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଶେଷରେ ଗୁରୁବାର ସକାଳୁ ଗଙ୍ଗାଧର ପୁର ଗାଁ ନିକଟରେ ଥିବା ସ୍କୁଲ ପାଖ ବାଉଁଶ ବୁଦାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳି ଯାଇଛି । ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
