ଭାରତୀୟ ଦଳକୁ ଅତିରିକ୍ତ ସହାୟତା ଦେବା ଲାଗି ଧୋନିଙ୍କୁ ମାର୍ଗଦର୍ଶକ କରାଯାଇଛି : ଗାଙ୍ଗୁଲି
ମୁମ୍ବାଇ : ୟୁଏଇରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଘୋଷିତ ୧୫ ଜଣିଆ ଭାରତୀୟ ଦଳର ମାର୍ଗଦର୍ଶକ ଭାବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଯୁକ୍ତ କରିବାର କାରଣ ଉପରୁ ପରଦା ଉଠାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ‘‘ ଏହା କେବଳ ବିଶ୍ବକପ୍ରେ ଭାରତୀୟ ଦଳକୁ ଅତିରିକ୍ତ ସହାୟତା ଦେବା ଲାଗି କରାଯାଇଛି। ଭାରତ ଓ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଧୋନିଙ୍କର ବେଶ୍ ଭଲ ରେକର୍ଡ ରହିଛି। ଏଭଳି ଏକ ନିଷ୍ପତ୍ତି ପଛରେ ସାରଗର୍ଭକ ଚର୍ଚ୍ଚା ଏବଂ ନିରନ୍ତର ଗବେଷଣା ଭରି ରହିଛି। ଆମେ ଢେର ସମୟ ଚର୍ଚ୍ଚା କରିବା ପରେ ତାଙ୍କୁ ଦଳ ସହ ରଖିବାକୁ ନିଷ୍ପତ୍ତି ନେଇଥିଲୁ।
କାରଣ ଆମେ ୨୦୧୩ ମସିହା ପରଠାରୁ ଆଉ କୌଣସି ଆଇସିସି ଟ୍ରଫି ଜିତିନାହୁଁ’’ ବୋଲି ଗାଙ୍ଗୁଲି ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଥିଲେ। ଗାଙ୍ଗୁଲି କହିଥିବା କଥା ବି ପୂରା ଠିକ୍। ଭାରତ ଶେଷ ଥର ପାଇଁ ୨୦୧୩ ମସିହାରେ ଇଂଲଣ୍ଡରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ପରେ ଏକାଧିକ ଆଇସିସି ପ୍ରତିଯୋଗିତାର ସେମିଫାଇନାଲ୍ ଓ ଫାଇନାଲ୍ ଯାଇଥିଲେ ମଧ୍ୟ ବିଜେତା ହେବାର ଗୌରବ ଅର୍ଜନ କରିପାରିନାହିଁ। ମହତ୍ବପୂର୍ଣ୍ଣ କଥା ହେଲା ଭାରତ ତାର ଶେଷ ଆଇସିସି ଟ୍ରଫି ଧୋନିଙ୍କ ନେତୃତ୍ବରେ ହିଁ ଜିତିଥିଲା। ଏହି କ୍ଷେତ୍ରରେ ଗାଙ୍ଗୁଲି ମଧ୍ୟ ୨୦୧୯ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ତା’ର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ’ଙ୍କୁ ନିଜ ଦଳର ମାର୍ଗଦର୍ଶକ କରିବା ଉଦାହରଣ ଦେଇଥିଲେ। ‘‘ଆପଣ ମନେପକାନ୍ତୁ ଗତ ଆସେସ୍ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୨-୨ରେ ବରାବର ରଖିବା ବେଳେ ଷ୍ଟିଭ୍ ୱ’ ସେମାନଙ୍କ ମାର୍ଗଦର୍ଶକ ଥିଲେ। ବଡ଼ ବଡ଼ ପ୍ରତିଯୋଗିତାରେ ଏଭଳି ମହାନ ଖେଳାଳିଙ୍କ ଉପସ୍ଥିତି ସବୁବେଳେ ଲାଭଦାୟକ ହୋଇଥାଏ’’ ବୋଲି ଗାଙ୍ଗୁଲି ମତ ରଖିଥିଲେ।
