ମହାନଦୀରେ ଆସିପାରେ ବନ୍ୟା , ବିଶେଷ କ୍ଷୟକ୍ଷତି ହେବନି : ଏସଆରସି
ଭୁବନେଶ୍ୱର : ମହାନଦୀରେ ଆସିପାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା । ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ସ୍ୱଳ୍ପ-ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ବନ୍ୟା ମୁକାବିଲା ପାଇଁ ଜଳସଂପଦ ବିଭାଗର ସମସ୍ତ କର୍ମଚାରୀ ତତ୍ପର ଅଛନ୍ତି । ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବ । ଏବେ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟାପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ ୨୦ ଲକ୍ଷ ୪୮ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ଓ ୩୮୪୮ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି ।
