ଖେଳୁଥିବା ବେଳେ ଅଘଟଣ : ମାଟି କାନ୍ଥ ଭୂଶୁଡି ଶିଶୁକନ୍ୟା ମୃତ, ୨ ଆହତ
ଗଞ୍ଜାମ : ଗଞ୍ଜାମ ଜିଲା ବଡଗଡ ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ। ଲଗାଣ ବର୍ଷା ଯୋଗୁଁ ଧସିଲା ଘରର ମାଟି କାନ୍ଥ । ଏଥିରେ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ପିଲା ଆହତ ହୋଇଛନ୍ତି । ଖେଳୁଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ଦିନ ମଜୁରିଆ ଚିକୁ ନାଇକଙ୍କ ଝିଅ ଲିପି ନାଇକ ।
ସୂଚନା ଯେ, ରାମଚନ୍ଦ୍ରପୁର ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ବେଳେ ୭ ଜଣ ପିଲା ଖେଳୁଥିବା ବେଳେ ପାଖ ଘରର ମାଟି କାନ୍ଥ ଅଚାନକ ଧସି ଯାଇଥିଲା । ଏଥିରେ ଲିପିଙ୍କ ମୃତ୍ୟୁ ହୋଇଥିଲା । ୬ ବର୍ଷର ପ୍ରଶାନ୍ତ ନାଇକ ଓ ୧୨ ବର୍ଷର ତୁଳସୀ ନାଇକ ଆହତ ହୋଇଛନ୍ତି । ତେବେ ଆଉ ୩/୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଧରାକୋଟ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାର ଆଶ୍ବାସନା ଦେଇଛନ୍ତି । ବଡଗଡ ଥାନାଧିକାରୀ ସୁରଜ କୁମାର ଝାଙ୍କର ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
