ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ :ହେଲଥ କାର୍ଡ଼ ବାଣ୍ଟିବା ସହ ଭେଟି ଦେବେ ୫୯୦ କୋଟିର ପ୍ରକଳ୍ପ
ଭୁବନେଶ୍ୱର : ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିବା ସହ ପ୍ରାୟ ୫୮୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ୪୫ମିନିଟର ରାଉରକେଲା ଗସ୍ତବେଳେ ସଭା ମଂଚରେ ସ୍ଥାନୀୟ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ମଧ୍ୟ ରହିବେ ବୋଲି ସୂଚନା ମିଳିଛି । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୧୧ଟାରେ ରାଉରକେଲା ବିମାନ ବନ୍ଦରରେ ପହଂଚିବେ ଓ ୧୧ ଟା ୪୫ମିନିଟରେ ରାଉରକେଲା ଛାଡ଼ିବେ । ସେଠାରେ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ସୁନ୍ଦରଗଡ଼ ଜିଲ୍ଲାର ୪ଲକ୍ଷ ୩୬ହଜାର ୯୪୮ ପରିବାରର ୧୫ଲକ୍ଷ ୦୯ହଜାର ୮୨୧ଜଣ ଏହି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ସୁଫଳ ପାଇବେ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଉରକେଲା ଇସ୍ପାତ ପ୍ଲାଂଟର ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାତ୍ର ୪୦ମିନିଟ୍ ରହିବେ ଓ ଏହି ଅବଧି ମଧ୍ୟରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଂଟନ କରିବା ସହ ୩୮୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ୨୧୦ କୋଟି ଟଙ୍କାର ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭା ମଂଚରେ ସ୍ଥାନୀୟ ବିଧାୟକ ଶାରଦା ନାୟକ, ସୁବ୍ରତ ତରାଇ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ସ୍ଥାନୀୟ ସାଂସଦ ଜୁଏଲ ଓରାମ ଉପସ୍ଥିତ ରହିବେ । ରାଜ୍ୟର ପ୍ରାୟ ୧୫ରୁ ଅଧିକ ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ବ୍ଲକ ମୁଖ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡ଼ି ହେବେ । ରାଜ୍ୟ ସରକାରରେ ଉପଦେଷ୍ଟା ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ବିଜେଡି ନେତାମାନେ ଓ ୧୫ରୁ ଅଧିକ ମନ୍ତ୍ରୀଙ୍କୁ ଜିଲ୍ଲାର ଏସବୁ ବ୍ଲକ ଓ ପୌରାଂଚଳରେ ସ୍ମାର୍ଟକାର୍ଡ ବଂଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜେଡି ନେତା ଓ ମନ୍ତ୍ରୀମାନେ ଆଜି ସନ୍ଧ୍ୟାରୁ ନିଜ ନିଜ ସ୍ଥାନରେ ଡେରା ପକାଇଥିବାବେଳେ ସେମାନେ ସେଠାରେ ୩ରୁ ୪ଦିନ ରହି କାର୍ଡ ବାଂଟିବେ ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର ସଂଗଠନ ସୁଦୃଢ଼ ନଥିବାବେଳେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ଏହି ସରକାରୀ କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେବାକୁ ଉଦ୍ୟମ ଆରମ୍ଭ କରିଛି ।
ସୂଚନା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଫେବୃୟାରୀ ୧୬ତାରିଖରେ ସୁନ୍ଦରଗଡ଼ ଗସ୍ତ କରି ସେଠାରେ ପ୍ରାୟ ୫ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୭ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।
