ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୧୯ଲକ୍ଷ ଲୋକ ପ୍ରଭାବିତ, ୩ ମୃତ
ଭୁବନେଶ୍ୱର : ରାଜ୍ୟରେ ଲଗାତାର ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷା କାରଣରୁ ରାଜ୍ୟର ୫୩ଟି ବ୍ଲକର ୨୭୮୯ ଗାଁ ତଥା ୧୪ଟି ପୌରାଂଚଳର ୧୯,୫୩,୬୪୭ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬୫ ଟି ଘର ଭାଙ୍ଗିଛି ତଥା ୩୮୧୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛିା ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ତିନି ଜଣଙ୍କର ଜୀବନ ଯାଇଥିବା ନେଇ ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଛି । ଏଥି ମଧ୍ୟରୁ ଘର କାନ୍ଥ ଭୁଷୁଡିବା କାରଣରୁ କେନ୍ଦ୍ରାପଡାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଧା ଜିଲ୍ଲାରେ ଜଣେ ବୁଡି ମୃତ୍ୟୁବରଣ କରିଥ୍ିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଏ ନେଇ ସବିଶେଷ ଜାଂଚ କରା ଯାଉଥିବା ସୂଚନା ଦିଆ ଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ୩ଟି ବ୍ଲକ ଓ ଓ ଏକ ପୌର ସଂସ୍ଥା ପ୍ରଭାବିତ ହୋଇଛି । ସେହିପରି କୋରାପୁଟର ୫ଟି ବ୍ଲକ, କଟକର ୨ଟି ବ୍ଲକ, ୨ଟି ପୌରସଂସ୍ଥା, ଯାଜପୁର ଜିଲ୍ଲାର ୮ଟି ବ୍ଲକ, ପୁରୀ ଜିଲ୍ଲାର ୪ଟି ବ୍ଲକ ଓ ୪ ପୌର ସଂସ୍ଥା ପ୍ରଭାବିତ ହୋଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ସଂସ୍ଥା, କେନ୍ଦ୍ରାପଡା ଜିଲ୍ଲାର ୫ଟି ବ୍ଲକ ଓ ୨ଟି ପୌର ସଂସ୍ଥା, ଢେଙ୍କାନାଳ ଜିଲ୍ଲାର ୩ଟି ବ୍ଲକ ଓ ୧ଟି ପୌର ସଂସ୍ଥା, ଖୋର୍ଧା ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌର ସଂସ୍ଥା ଓ ଅନୁଗୁଳ ଜିଲ୍ଲାର ୩ଟି ବ୍ଲକ ପ୍ରଭାବିତ ହୋଇଛି ।
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଦେବୀ , ଇବ୍ , ବ୍ରାହ୍ମଣୀ , ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା , ବଂଶଧାରା, ରୁଷିକୁଲ୍ୟା ଓ ଜଳକା ଆଦି ନଦୀ ଫୁଲୁଛି । ମଥାନୀ ଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ସଂଧ୍ୟା ୬ ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଜଳକା ନଦୀ ଜଳସ୍ତର ୫.୬୮ ମିଟର ରହିଛି । ସେହିପରି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସଂଧ୍ୟା ୬ ଟା ସୁଦ୍ଧା ୬୨୫.୧୦ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ୧,୬୭,୮୮୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୧,୫୦୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ତେବେ ଜଳ ଭଣ୍ଡାରର ସମସ୍ତ ଗେଟ୍ ବନ୍ଦ ରହିଛି । ଖଇରାମାଳ ଠାରେ ୧,୧୮,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳ ଠାରେ ୧,୫୫,୦୦୦ ଓ ମୁଣ୍ଡଳି ଠାରେ ୭୮,୫୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
