ମ୍ୟାଚ୍ ହାରିବା ପରେ ରାଗରେ ରାକେଟ୍ ଭାଙ୍ଗିଲେ ଜୋକୋଭିଚ୍
ନ୍ୟୁୟର୍କ : କ୍ରୋଧିତ ହେଲେ ମଇଦାନ ବାହାରେ ଅତି ଶାନ୍ତ ଏବଂ ହସ ଖୁସିଆ ରହୁଥିବା ଦୁନିଆର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିଚ୍ । ୟୁଏସ ଓପନ-୨୦୨୧ର ଟାଇଟଲ୍ ମୁକାବିଲା ହାରିବା ସହ ଧୂଳିସାତ ହେଲା ଐତିହାସିକ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିବାର ସ୍ୱପ୍ନ । ରୁଷର ଡେନିଲ ମେଦଭେଦେବଙ୍କଠୁ ସିଧାସଳଖ ସେଟ୍ରେ ପରାସ୍ତ ହେବା ପରେ ଜୋକୋଭିଚ୍ ଏତେ ରାଗି ଯାଇଥିଲେ ଯେ, ରାକେଟ୍କୁ ସେ ପର୍ଯ୍ୟନ୍ତ କୋର୍ଟରେ ପିଟି ଚାଲିଲେ ଯେ ପର୍ଯ୍ୟନ୍ତ ତାହା ନ ଭାଙ୍ଗିଛି । ଟେନିସ୍ କୋର୍ଟରେ ଏପରି ବିଚଳିତ କରିବା ଭଳି ଏହି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଚଳିତ ବର୍ଷ ତିନୋଟି ଗ୍ରାଣ୍ଡସ୍ଲାମ ଜିତିଥିବା ଜୋକୋଭିଚ୍ ଏକ ଫୋରହ୍ୟାଣ୍ଡ୍ ହାତରୁ ଖସିବା ପରେ ରାଗରେ ଜର୍ଜରିତ ହୋଇ ନିଜ ରାକେଟ୍କୁ ତଳେ ପିଟି ଚାଲିଛନ୍ତି, ଯେ ପର୍ଯ୍ୟନ୍ତ ତାହା ନଭାଙ୍ଗିଛି । ଏହି ହାଇ ଭୋଲଟେଜ୍ ମୁକାବିଲାରେ ରୁଷି ଷ୍ଟାର ମେଦଭେଦେବ ବିଶ୍ୱର ଏକ ନମ୍ବର ଖେଳାଳିଙ୍କୁ ୬-୪, ୬-୪, ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରି ୟୁଏସ ଓପନ ଟାଇଟଲ୍ ହାତେଇଛନ୍ତି । ହେଲେ ପ୍ରଥମ ଥର ଜୋକୋଭିଚ୍ ରାଗି ନାହାନ୍ତି ଏହା ପୂର୍ବରୁ ମଧ୍ୟ ଏମିତି ଘଟଣା ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି । ଜୋକୋଭିଚ୍ଙ୍କୁ ସ୍ପେନର ପାବ୍ଲୋ କାରେନୋ ବୁସ୍ତାଙ୍କଠୁ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ମୁକାବିଲାରେ ପରାଜୟ ସାମ୍ନା କରିବାକୁ ପଡିଥିଲା । ବୁସ୍ତା ଜୋକୋଭିଚ୍ଙ୍କୁ ମ୍ୟାଚ୍ରେ ୬-୪, ୬-୭, ୬-୩ ସେଟ୍?ରେ ହରାଇ କାଂସ୍ୟ ପଦକ ଜିତିଥିଲେ । ଏହି ପରାଜୟ ପରେ ଜୋକୋଭିଚ୍ ଏତେ ରାଗି ଯାଇଥିଲେ ଯେ, ନିଜ ରାକେଟ୍କୁ ନେଟ୍ରେ ମାରିଥିଲେ ।
ୟୁଏସ୍ ଓପନର ଫାଇନାଲ୍ ମୁକାବିଲା ଜିତିଥିଲେ ନୋଭାକ ଜୋକୋଭିଚ୍ କ୍ୟାଲେଣ୍ଡର ସ୍ଲାମ ପୂରା କରିଥାନ୍ତେ । ହେଲେ ଏହି ରେକର୍ଡ ହାସଲ କରିବାରେ ସେ ଗୋଟିଏ ପାଦ ଦୂରରେ ରହିଗଲେ । ଯଦି ସେ ଫାଇନାଲ୍ ମୁକାବିଲା ଜିତିଥାନ୍ତେ ତେବେ ୧୯୬୯ରେ ରୋଡ୍ ଲେଭେରଙ୍କ ପରେ ଗୋଟିଏ ସିଜିନ୍ରେ ଚାରି ବଡ ଟାଇଟଲ୍ ଜିତିବାରରେ ପ୍ରଥମ ଖେଳାଳି ହେବାର ଉପଲବ୍ଧି ହାସଲ କରିଥାନ୍ତେ । ଚଳିତ ବର୍ଷ ଜୋକୋଭିଚ୍ ଅଷ୍ଟ୍ରେଲିଆନ ଓପନ, ଫ୍ରେଂଚ ଓପନ ଓ ୱିମ୍ବିଲଣ୍ଡନ ଜିତିଥିଲେ । ସେ ବର୍ତମାନ ରୋଜର ଫେଡେରର ଏବଂ ରାଫେଲ ନାଡାଲଙ୍କ ସହ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତି ମିଳିତ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି ।
