ମହିଳା ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର : ଇତିହାସ ରଚିଲା ତାଞ୍ଜାନିଆ
ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ଇତିହାସ ରଚିଲା ତାଞ୍ଜାନିଆ ମହିଳା ଟିମ୍ । ମହିଳା ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରର ଏକାଦଶ ମ୍ୟାଚରେ ତାଞ୍ଜାନିଆ ୨୦୦ ରନର ବଡ଼ ବ୍ୟବଧାନରେ ମୋଜାମ୍ବିକକୁ ପରାସ୍ତ କରିଛି । ଏହାସହ ତାଞ୍ଜାନିଆ ଟିମ୍ ୨୦୦ କିମ୍ବା ଏହାରଠାରୁ ଅଧିକ ରନରେ ଦୁଇଥର ମ୍ୟାଚ୍ ଜିତିବାରେ ବିଶ୍ୱର ପ୍ରଥମ ମହିଳା ଟିମ୍ ହୋଇଛି ।
ଉକ୍ତ ମ୍ୟାଚରେ ତାଞ୍ଜାନିଆ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା । ଜବାବରେ ମୋଜାମ୍ବିକ ୧୨.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ତାଞ୍ଜାନିଆ ପକ୍ଷରୁ ମୱାନାଇଡି ସ୍ୱିଡୀ ୪୮ ବଲରେ ୮୭ (୧୧ ଚୌକା) ରନ୍ ଓ ଫାତୁମା କିବାସୁ ୬୨ ରନର ଇନିଂସ୍ ଖେଳିଛନ୍ତି । ମ୍ୟାଚରେ ମୋଜାମ୍ବିକ୍ ଅତିରିକ୍ତ ୩୫ ରନ୍ ବ୍ୟୟ କରିଛି । ମୋଜାମ୍ବିକ୍ ପକ୍ଷରୁ କ୍ରିଷ୍ଟିନା ମାଗେଆ ୩୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଅନ୍ୟ ବୋଲର ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୨୨୯ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ମୋଜାମ୍ବିକର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ୧୫ ରନ୍ ଭିତରେ ଅଧା ଟିମ୍ ପ୍ୟାଭିଲିୟନ୍ ଫେରିଥିଲେ । ଓପ୍ନର ପାଲମିରା କୁଇନିକା ଓ କ୍ୟାପଟେନ୍ ଓଲଗା ମାତସୋଲୋ ୬ ରନ୍ ଲେଖାଏ କରିଥିଲେ । ମୋଜାମ୍ବିକ ମହିଳା ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ । ତାଞ୍ଜାନିଆ ପକ୍ଷରୁ ପିରାଇସ୍ କାମୁନ୍ୟା ୬ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ୮୭ ରନର ଇନିଂସ୍ ଖେଳିଥିବା ସ୍ୱିଡୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହା ପୂର୍ବରୁ ତାଞ୍ଜାନିଆ ୨୦୦୯ରେ ମାଲି ମହିଳା ଟିମକୁ ୨୬୮ ରନରେ ହରାଇଥିଲା । ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଓଭରଅଲ୍ ପଂଚମଥର ଲାଗି କୌଣସି ଟିମ୍ ୨୦୦ କିମ୍ବା ଏହାଠାରୁ ଅଧିକ ରନ୍ ବ୍ୟବଧାନରେ ମ୍ୟାଚ୍ ଜିତିଛି । ଉଗାଣ୍ଡା ନାଁରେ ସବୁଠାରୁ ବଡ଼ ବିଜୟର ବିଶ୍ୱ ରେକର୍ଡ ରହିଛି । ୨୦୧୯ରେ ଉଗାଣ୍ଡା ୩୦୪ ରନରେ ମାଲିକୁ ପରାସ୍ତ କରିଥିଲା ।
