ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲାପାଳମାନଙ୍କୁ ଏସଆରସିଙ୍କ ଚିଠି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପର ରୂପ ନେଲା ଲଘୁଚାପ କ୍ଷେତ୍ର । ଆଗାମୀ ୧୨ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା । ପ୍ରଭାବରେ ୨ ଦିନ ଧରି ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା । ଏନେଇ ୭ ଜିଲାକୁ ରେଡ୍ ଓ ୬ ଜିଲାକୁ ଅରେଞ୍ଜ ଓ ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୭ ଜିଲା ଗୁଡିକ ହେଲା- ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ରେ ବି ଅତି ପ୍ରବଳ ବର୍ଷା ଆଶଙ୍କା । ଏହି ରେଡ୍ ୱାର୍ଣ୍ଣିଂ ୭ ଜିଲାରେ ୨୦ ସେମିରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା, ଭୁଶୁଡ଼ିପାରେ କଚ୍ଚା ଘର ।
ତେବେ ବର୍ଷା ମୁକାବିଲା ପାଇଁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି) ଚିଠି ଲେଖିଛନ୍ତି। ଜିଲାପାଳଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ହେବ। ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ହେବ। ଏଥିସହିତ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି । ଏହାସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ମଧ୍ୟ ଉପୁଜିପାରେ। ଏଥିପ୍ରତି ନଜର ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏହି ସମୟରେ ସମୁଦ୍ର ଭିତରକୁ ମତ୍ସଜୀବୀମାନଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଜିଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ସହିତ ବିଡିଓ, ତହସିଲଦାର ଏବଂ ଗ୍ରାମ ଉନ୍ନୟନ ବିଭାଗର କର୍ମଚାରିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଅଯାଇଛି। ଏଥିସସହିତ ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାଘାଟ ମରାମତି ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି।
