ନୀରଜଙ୍କ ସ୍ୱପ୍ନ ପୂରଣ : ବାପା-ମା’ଙ୍କୁ ବିମାନରେ କରାଇଲେ ଯାତ୍ରା
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ସାକାର ହୋଇଛି । ଜାଭେଲିନ୍ ଥ୍ରୋରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିବା ନୀରଜ ଶନିବାର ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ଚାର୍ଟାର୍ଡ ବିମାନରେ ନୀରଜ ତାଙ୍କ ପିତାମାତାଙ୍କ ସହ ଏକ ଫଟୋ ସେୟାର କରିଥିଲେ ।
A small dream of mine came true today as I was able to take my parents on their first flight.
— Neeraj Chopra (@Neeraj_chopra1) September 11, 2021
आज जिंदगी का एक सपना पूरा हुआ जब अपने मां – पापा को पहली बार फ्लाइट पर बैठा पाया। सभी की दुआ और आशिर्वाद के लिए हमेशा आभारी रहूंगा ?? pic.twitter.com/Kmn5iRhvUf
ନିଜ ମାତାପିତାଙ୍କୁ ଫ୍ଲାଇଟରେ ବସାଇବା ନୀରଜଙ୍କର ସ୍ୱପ୍ନ ଥିଲା। ଏବେ ଭାରତର ଏହି ଟପ୍ ଆଥଲେଟ୍ ତାଙ୍କର ସେହି ସ୍ୱପ୍ନ ପୂରଣ କରିଛନ୍ତି। ଟ୍ୱିଟରରେ ନୀରଜ ଲେଖିଛନ୍ତି, ଆଜି ଜୀବନର ଏକ ସ୍ୱପ୍ନ ପୂରଣ ହୋଇଛି। ମୁଁ ମୋ ମାତାପିତାଙ୍କୁ ପ୍ରଥମଥର ଫ୍ଲାଇଟରେ ବସାଇ ପାରିଛି। ସମସ୍ତଙ୍କୁ ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ସର୍ବଦା ଋଣୀ ହୋଇ ରହିବି। ନୀରଜ ଟୋକିଓ ଅଲିମ୍ପିକ୍ସରେ ୮୭.୫୯ ମିଟର୍ ଜାଭେଲିନ୍ ଥ୍ରୋ’ କରି ଆଥଲେଟିକ୍ସ ଇତିହାସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇଥିବା ନୀରଜ ଆଜି ଷ୍ଟାର୍ ବନିଯାଇଛନ୍ତି। ତାଙ୍କୁ ସବୁଠି ସମ୍ମାନିତ କରାଯାଉଛି। ନିକଟରେ ନୀରଜଙ୍କ ନାଁରେ ପୁଣେ ନବନିର୍ମିତ ଷ୍ଟାଡିୟମର ନାମକରଣ କରାଯାଇଛି। ଏହାକୁ ନେଇ ନୀରଜଙ୍କ କୋଚ୍ ବେଶ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଦିନେ ଅଭ୍ୟାସ କରିବା ପାଇଁ ନୀରଜଙ୍କୁ ଭଲ ମଇଦାନ ମିଳୁନଥିଲା। କିନ୍ତୁ ଆଜି ପୁଣେରେ ଗୋଟିଏ ଷ୍ଟାଡିୟମ ତାଙ୍କ ନାଁରେ କରିଦିଆଗଲା। ଏହା ପାନିପତ୍ ଓ ହରିୟାଣା ପାଇଁ ନୁହେଁ ବରଂ ପୂରା ଦେଶ ପାଇଁ ଗର୍ବର କଥା। କ୍ରୀଡ଼ା ଜଗତରେ କମାଲ୍ କରିଥିବା ନୀରଜ ଏବେ ବିଜ୍ଞାପନ ଦୁନିଆରେ ନିଜର ଛାପ ଛାଡ଼ିବାକୁ ପ୍ରସ୍ତୁତ। କୁହାଯାଉଛି ଯେ ନୀରଜ ଏବେ ପ୍ରତି ବିଜ୍ଞାପନ ପାଇଁ ୧ରୁ ୫ କୋଟି ଟଙ୍କାର ପ୍ରାପ୍ୟ ନେଉଛନ୍ତି। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପୂର୍ବରୁ ନୀରଜଙ୍କ ପାଖରେ ବହୁତ କମ୍ ବିଜ୍ଞାପନ ଥିଲା, କିନ୍ତୁ ଏବେ ତାଙ୍କ ପାଖରେ ଅନେକ ବିଜ୍ଞାପନ ରହିଛି। ମିଳିଥିବା ସୂଚନା ମୁତାବକ, ନୀରଜ ବିଜ୍ଞାପନ ଦୁନିଆରେ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନିକଟତର ହୋଇଛନ୍ତି। ସୋଶାଲ ମିଡିଆରେ ମଧ୍ୟ ନୀରଜ ଖୁବ୍ ଆକ୍ଟିଭ୍ ରହୁଛନ୍ତି। ଫ୍ୟାନ୍ ଲଗାତର ତାଙ୍କୁ ଟ୍ୱିଟ୍ କରୁଛନ୍ତି।
