୨୪ ଘଣ୍ଟା ମଧ୍ୟରେ ୧୧ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବିଭିନ୍ନ ସ୍ଥାନରେ ବର୍ଷ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଉକ୍ତ ଜିଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକ ଓ ଖୋର୍ଦ୍ଧା ରହିଛି।
ସେହିପରି ୧୨ରୁ ୧୩ ତାରିଖ ମଧ୍ୟରେ ପୁରୀ, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଭଦ୍ରକ ଓ ଯାଜପୁର ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲାଗୁଡ଼ିକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଗଞ୍ଜାମ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ୧୩ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
