ଆରମ୍ଭ ହେଲା ଭାରତ ଓ ଅଷ୍ଟ୍ରେଲିଆ ୨+୨ ଆଲୋଚନା
ନୂଆଦିଲ୍ଲୀ : ଆରମ୍ଭ ହେଲା ଭାରତ ଓ ଅଷ୍ଟ୍ରେଲିଆ ୨+୨ ଆଲୋଚନା । ନୂଆଦିଲ୍ଲୀରେ ଭାରତ ଏବଂ ଅଷ୍ଟ୍ରେଲିଆ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଆରମ୍ଭ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ମେରାଇଜ୍ ପେନ୍ ଏବଂ ପିଟର୍ ଡୁଟନ୍ଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ। ଆଫଗାନିସ୍ତାନରେ ଉପୁଜିଥିବା ପରିସ୍ଥିତି ମଧ୍ୟରେ ଏହି ଆଲୋଚନା ହେଉଥିବାରୁ ଯଦିଓ ସେହି ବିଷୟକୁ ଅଗ୍ରାଧିକାର ଦିଆଯିବ କିନ୍ତୁ ଆଲୋଚନା କାଳରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ। ଗତ ବର୍ଷ ଜୁନ୍ ୪ରେ ଭାରତ-ଅଷ୍ଟ୍ରେଲିଆ ନେତାଙ୍କ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ଓ ଭାଗିଦାରୀକୁ ବୃଦ୍ଧି କରିବା ପାଇଁ ଏହି ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା।
ଚୀନ୍ର ସାମରିକ ଆଧିପତ୍ୟ ବିସ୍ତାର ପାଉଥିବା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ସମେତ ସାମଗ୍ରିକ ପ୍ରତିରକ୍ଷା ଏବଂ ଦୁଇ ଦେଶ ମଧ୍ୟରେ ରଣକୌଶଳ ସହଯୋଗିତାକୁ ଆହୁରି ବୃଦ୍ଧି କରିବା ଏହି ଆଲୋଚନାର ଉଦ୍ଦେଶ୍ୟ। ଆଲୋଚନା ଆରମ୍ଭ ହେବାର କ୍ଷଣିକ ଆଗରୁ କରୋନାଭାଇରସ୍ଜନିତ ମହାମାରୀ ସମୟରେ ‘ହ୍ୟାଣ୍ଡ୍ସେକ୍’ ବା ‘କରମର୍ଦ୍ଦନ’ ପରିବର୍ତ୍ତେ ସ୍ବାଗତ ଜଣାଇବାର ନୂତ ‘ହ୍ୟାଣ୍ଡ୍ସେକ୍’ କୁହାଯାଉଥିବା ‘ଫିଷ୍ଟ୍ ବମ୍ପ୍’ ବା ‘ମୁଷ୍ଟିମର୍ଦ୍ଦନ’ (ପରସ୍ପର ହାତମୁଠା ଲଢ଼େଇ କରି) ପେନ୍ଙ୍କୁ ସ୍ବାଗତ କରିଥିଲେ। ଆଜି ଅପରାହ୍ଣରେ ଅଷ୍ଟ୍ରେଲୀୟ ମନ୍ତ୍ରୀମାନେ ୭, ଲୋକ କଲ୍ୟାଣ ମାର୍ଗରେ ଥିବା ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।


