ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ରାଜ୍ୟରେ କିଛି ଦିନ ତଳେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରୁଥିବା ସମୟରେ ଏବେ ଏହା ୧୦ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି । ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କଟକ ଜିଲାରୁ ୨ଜଣ ଥିବାବେଳେ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୁରଭଞ୍ଜ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ୦୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୦,୧୫, ୭୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୦୦,୫୪୮ ଜଣ ସୁସ୍ଥ ହୋଇଥିବା ବେଳେ ୭,୦୨୦ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୮,୦୯୨ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
