ଆଦିବାସୀ ମହିଳାଙ୍କୁ ଆକ୍ରମଣ ଘଟଣା, ୨ ଗିରଫ
ବାରିପଦା : ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅନ୍ତର୍ଗତ କାଳିଆଶୋଳ ପଣ୍ଡିତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଆଦିବାସୀ ମହିଳାଙ୍କୁ ଅସଦାଚରଣ ଓ ମାଡ଼ ଅଭିଯୋଗ ନେଇ ଶୁଳିଆପଦା ଥାନାର ଦ୍ୱାରସ୍ଥ ହୋଇଥିଲେ ମହିଳା ଜଣକ । ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଯେ, ଗତ ୨ତାରିଖ ଗୁରୁବାର ୫ମ ବାଟାଲିୟନର ସିପାହୀ ଦ୍ୱାରିକା ନାଏକ ପେଟ୍ରୋଲ ପମ୍ପରେ ମାରପିଟ ଓ ଅଶ୍ଳିଳ ଭାଷାରେ ଗାଳି ଗୁଳଜ କରିଥିଲେ । ଏଥିସହ ପେଟ୍ରୋଲ ପମ୍ପର ମାଲିକ, କର୍ମଚାରୀ ଓ କାର୍ଯ୍ୟରତ ଆଦିବାସୀ ମହିଳା ଯମୁନା ଟୁଡୁଙ୍କୁ ଛାତିରେ ଧକ୍କାମାରି ଟଣାଉଟୁରା କରି ତଳେ ପକାଇଥିଲେ । ଏପରିକି ଏକେ୪୭ରେ ଗୁଳିକରି ମାରିଦେବା ଧମକ ମଧ୍ୟ ଦେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଲିଖିତ ଏତେଲା ଦେଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରିଦେଇ ଚୁପ ବସିଥିଲା । ବହୁ ସଂଗଠନ ପିଡୀତାଙ୍କ ସପକ୍ଷରେ ବାହାରି ସଂପୃକ୍ତଙ୍କୁ ତୁରନ୍ତ ଗିରଫ ଦାବୀରେ ଥାନା ଘେରାଉ କରିଥିଲେ । ଶେଷରେ ପୋଲିସ ଉକ୍ତ ଦବଙ୍ଗ ସିପାହୀ ଓ ତାଙ୍କ ସଯଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଖବର ମିଳିଛି ।
