୨୦୨୨ ଜାନୁଆରିରେ ଭାରତ ପହଞ୍ଚିବ ୩୬ ନମ୍ବର ରାଫେଲ୍ ବିମାନ
ନୂଆଦିଲ୍ଲୀ : ଆସନ୍ତା ୨୦୨୨ ଜାନୁଆରିରେ ଭାରତ ପହଞ୍ଚିବ ୩୬ ନମ୍ବର ରାଫେଲ୍ ବିମାନ । ଭାରତର ବରାଦ ମୁତାବକ ଉନ୍ନୀତ କରାଯାଇଥିବା ଏହି ବିମାନରେ ୧୩ଟି ପରିବର୍ଦ୍ଧନ ବା ଉନ୍ନତି କରାଯାଇଛି । ଏହି ୩୬ ନମ୍ବର ରାଫେଲ୍ଲଢୁଆ ବିମାନଟି ଭାରତ ନିର୍ଦ୍ଧାରଣ କରିଥିବା ଆବଶ୍ୟକ ସରଞ୍ଜାମ ସହ ନିର୍ମାଣ କରାଯାଉଛି। ଯୁଦ୍ଧ କ୍ଷେତ୍ରରେ ଏହା ଅଧିକ ମାରାତ୍ମକ ହେବ। ରାଫେଲ୍ ବିମାନ ଉନ୍ନୀତ କରିବା ପାଇଁ ଭାରତ ପ୍ରସ୍ତାବିତ କେତେକାଂଶ ଜ୍ଞାନକୌଶଳ ସୃଷ୍ଟି ଇସ୍ରାଏଲ୍ର ବୋଲି ଜଣାପଡ଼ିଛି ।
ସୂଚନା ଯେ, ମୋଟ ୩୬ଟି ରାଫେଲ୍ ଲଢୁଆ ବିମାନ ଖରିଦ କରିବା ଲାଗି ଭାରତ ଫ୍ରାନ୍ସ୍ ସହ ରାଜିନାମା କରିଥିଲା। ସେଥିରୁ ଏ ପର୍ଯ୍ୟନ୍ତ ଫ୍ରାନ୍ସ୍ ପଠାଇ ସାରିଥିବା ୨୬ଟି ୪.୫ ଜେନେରେସନ୍ ରାଫେଲ୍ ଲଢୁଆ ବିମାନ ସମ୍ପ୍ରତି ପଶ୍ଚିମ ସେକ୍ଟରର ଅମ୍ବାଲା ଏବଂ ପୂର୍ବ ସେକ୍ଟର୍ର ହାସିମାରାରେ କାର୍ଯ୍ୟ କରୁଛି। ଏହା ବ୍ୟତିରେକେ, ଭାରତର ନିବିଡ଼ ବନ୍ଧୁ ‘ୟୁଏଇ’ର ‘ମିଡ୍-ଏୟାର୍ ରିଫୁଏଲର୍’ ସହଯୋଗରେ ଅକ୍ଟୋବର ୧୩ ତାରିଖରେ ‘ଡାସୋ’ କମ୍ପାନି ନିର୍ମିତ ଆହୁରି ୩ଟି ରାଫେଲ୍ଲଢୁଆ ବିମାନ ଜାମନଗର ଘାଟିରେ ଅବତରଣ କରିବ। ନଭେମ୍ବର ମାସରେ ଆଉ ୩ଟି ଏବଂ ଡିସେମ୍ବର ମାସରେ ମଧ୍ୟ ପୁଣି ୩ଟି ରାଫେଲ୍ ଲଢୁଆ ବିମାନ ଆସି ଭାରତୀୟ ବାୟୁସେନାରେ ଯୋଗ ଦେବେ। ସେହି ହିସାବରେ ଆଗାମୀ ତିନି ମାସ ଧରି ଫ୍ରାନ୍ସ୍ ଭାରତକୁ ପ୍ରତିମାସରେ ୩ଟି ଲେଖାଏଁ ରାଫେଲ୍ ଲଢୁଆ ବିମାନ ଯୋଗାଇ ଦେବ।
