ଆଜି ମାଞ୍ଚେଷ୍ଟର ଟେଷ୍ଟ, ଖେଳକୁ ନେଇ ଆଶା ଓ ଆଶଙ୍କା!
- ଏକାଧିକ ସଦସ୍ୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ତଥା ଅନ୍ତିମ ଟେଷ୍ଟ। ମାତ୍ର ଏବେ ଏହି ମ୍ୟାଚ ଖେଳାଯିବ କି ନାହିଁ ତାହା ଏବେ ଆଶଙ୍କାରେ । ଏକାଧିକ ସଦସ୍ୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସସ୍ପେନ୍ସ ମଧ୍ୟରେ ମାଞ୍ଚେଷ୍ଟର ଟେଷ୍ଟ । ଭାରତୀୟ ଦଳର ଜଣେ ସହଯୋଗୀ ସଦସ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ୩ ଜଣ ସହଯୋଗୀ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଆମେ ଏହା କହିପାରିବୁ ନାହିଁ କି ମ୍ୟାଚ୍ ଖେଳାଯିବ କି ନାହିଁ । ଆଶା କରାଯାଉଛି ମ୍ୟାଚ ହେବ । ମ୍ୟାଚ୍ ହେବ କି ନାହିଁ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ।
ଚତୁର୍ଥ ଟେଷ୍ଟ ଜାରି ରହିଥିବା ସମୟରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଆଉ ୩ ଜଣ ସହଯୋଗୀ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ଭାରତୀୟ ଦଳର ଫିଜିଓ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ବେଳେ ୫ମ ମ୍ୟାଚ୍ ପାଇଁ ହେବାକୁ ଥିବା ଟ୍ରେନିଂ ବନ୍ଦ ରହିଥିଲା । ଗୁରୁବାର ଟିମ ଇଣ୍ଡିଆର ଟ୍ରେନିଂ ସେସନ୍ ମଧ୍ୟ ରଦ୍ଦ କରିଦିଆଯାଇଛି । ଯୋଗେଶ ପରମାରଙ୍କ ପୂର୍ବରୁ ଦଳର ମୁଖ୍ୟ ଫିଜିଓ ନିତିନ୍ ପଟେଲ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେଣୁ ଭାରତର ଉଭୟ ଫିଜିଓ କରୋନା ସଂକ୍ରମିତ ହୋଇସାରିଥିବାରୁ ଭାରତକୁ ଇଂଲଣ୍ଡ ଫିଜିଓଙ୍କ ସହାୟତା ନେବାକୁ ହେବ । ଟିମ ଇଣ୍ଡିଆର ଏକାଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଆଗାମୀ ସୂଚନା ଯାଏଁ ନିଜ ନିଜ ହୋଟେଲ ରୁମ୍ରେ ରହିବାକୁ କୁହାଯାଇଛି । ବୁଧବାର ସନ୍ଧ୍ୟାରେ କରାଯାଇଥିବା କରୋନା ଟେଷ୍ଟରେ ସହଯୋଗୀ ଫିଜିଓ ଯୋଗେଶ ପରମାର ସଂକ୍ରମିତ ହୋଇଥିବା ଜଣାପଡିଛି । ଯୋଗେଶ ପରମାରଙ୍କ ପୂର୍ବରୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ, ମୁଖ୍ୟ ଫିଜିଓ ନିତିନ୍ ପଟେଲ ଏବଂ ଆର୍ ଶ୍ରୀଧର କରୋନା ସଂକ୍ରମିତ ହୋଇସାରିଛନ୍ତି । ଭାରତୀୟ ଦଳର ଏହି ସପୋର୍ଟ ଷ୍ଟାଫ୍ଙ୍କୁ ୧୦ ଦିନ ଯାଏଁ ଆଇସୋଲେସନରେ ରହିବାକୁ ହେବ । ଦି ଓଭାଲ ଟେଷ୍ଟ ବେଳେ ଏମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ସୂଚନା ଯେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଯାଇଥିଲା । ଦ୍ବିତୀୟ ଟେଷ୍ଟରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ ତୃତୀୟ ଟେଷ୍ଟକୁ ଇଂଲଣ୍ଡ ନିଜ କବ୍ଜାକୁ ନେଇଥିଲା । ପରେ ଚତୁର୍ଥ ଟେଷ୍ଟରେ ଭାରତ ଏହାର ବଦ୍ଲା ନେବା ସହିତ ଇଂଲଣ୍ଡକୁ ୧୫୭ରନରେ ଧୂଳି ଚଟାଇଥିଲା ।
