ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଜାରି ହେଲା ମ୍ୟାଚ୍ସୂଚୀ
- ୩ଟି ଟେଷ୍ଟ, ୪ ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ
ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ଭାରତୀୟ କ୍ରିକେଟ ଖେଳାଳି। ଆସନ୍ତା ଟି-୨୦ ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜ୍ ଖେଳାଯିବ । ଏଥିପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ମ୍ୟାଚସୂଚୀ ଜାରି କରାଯାଇଛି ।
ମ୍ୟାଚସୂଚୀ ଅନୁଯାୟୀ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟେଷ୍ଟ, ୪ ଟି-୨୦ ଓ ୩ଟି ଦିକିଆ ମ୍ୟାଚ୍ ଖେଳାଯିବ। ଡିସେମ୍ବର ୧୭ରୁ ଦୁଇ ଦେଶ ମଧ୍ୟରେ ଜୋହାନ୍ସବର୍ଗରେ ଟେଷ୍ଟ ମ୍ୟାଚରୁ ଏହି ଲମ୍ବା ସିରିଜ୍ ଆରମ୍ଭ ହେବ। ଏହାପରେ ବିକ୍ସିଂ ଡେ ଟେଷ୍ଟ ସେଞ୍ଚୁରିଆନ ଓ ଶେଷ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୩ରୁ ୭ ତାରିଖ ଯାଏ ଜୋହାନ୍ସବର୍ଗରେ ଖେଳାଯିବ। ଟି-୨୦ ବିଶ୍ୱକପ ପରେ ଭାରତ ପ୍ରଥମଥର ଟେଷ୍ଟ ସିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯିବ। ଟେଷ୍ଟ ସିରିଜ୍ ପରେ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୧ରୁ ୧୬ ତାରଖ ଯାଏ ଚାଲିବ। ଶେଷରେ ୪ଟିକିଆ ଟି-୨୦ ସିରିଜ୍ ୧୯ରୁ ୨୫ ଜାନୁଆରୀ ଯାଏ ଖେଳାଯିବ । ଅନ୍ୟପକ୍ଷରେ ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦକ୍ଷିଣ ନିଜ ମାଟିରେ ନେଦରଲ୍ୟାଣ୍ଡସ ବିପକ୍ଷରେ ୩ ଟିକିଆ ଦିନିଆ ସିରିଜ୍ ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ଖେଳିବ। ସେହିପରି ଭାରତ ବିପକ୍ଷ ସିରିଜ୍ ପରେ ଦକ୍ଷିଣ ଆଫ୍ରିକା ନିଜ ଦେଶରେ ବାଂଲାଦେଶ ବିପକ୍ଷରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୧ ଯାଏ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ।
ସୂଚନା ଯେ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରୁ ୨୧, ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ଓ ତୃତୀୟ ଟେଷ୍ଟ ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ ୧୧ ତାରିଖ, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୪ ଓ ତୃତୀୟ ଦିନିକିଆ ଜାନୁଆରୀ ୧୬ରେ ଅନୁଷ୍ଠିତ ହେବ । ପରେ ପ୍ରଥମ ଟି-୨୦ ଜାନୁଆରୀ ୧୯, ଦ୍ୱିତୀୟ ଟି-୨୦ ଜାନୁଆରୀ ୨୧, ତୃତୀୟ ଟି-୨୦ ଜାନୁଆରୀ ୨୩ ଏବଂ ଚତୁର୍ଥ ଟି-୨୦ ଜାନୁଆରୀ ୨୫ରେ ଖେଳାଯିବ ।
