ଅବହେଳା କଲେ ଫେରିବ ଲକଡାଉନ୍ : ମୁଖ୍ୟମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସମୀକ୍ଷା
- ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ତୃତୀୟ ଲହରକୁ ନିୟନ୍ତ୍ରଣ କରିବ
- ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ କର
- ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି କର
ଭୁବନେଶ୍ୱର : ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କୋଭିଡ ପରିସ୍ଥିତି ସମୀକ୍ଷା କରି ଏହା କହିଛନ୍ତି । କୋଭିଡ ବିରୁଦ୍ଧରେ ଲଢିବା ପାଇଁ କୋଭିଡ୍ ଆଚରଣ ବିଧି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଂଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ – ଏହି ହାଇ ରିସ୍କ ଗ୍ରୁପ୍ ର ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଡେଲ୍ଟା ଭାରିଏଂଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କେଂଟନମେଂଟ ଜୋନ୍ କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ୱାରା ଆମେ ଭବିଷ୍ୟତରେ ଲକ୍ ଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ôଥକ ଅବସ୍ଥାରେ କ୍ଷତି ହେବ ନାହିଁ । ପାର୍ବଣ ଋତୁ ସମୟରେ ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତମାନ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି । କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ତେଣୁ ଯଦି ଆବଶ୍ୟକ ପଡେ, ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ , ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ , ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ , ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବ , ବି.ଏମ୍.ସି ଏବଂ ସି.ଏମ୍.ସିର କମିଶନର, ଦେବଗଡ ଓ ପୁରୀର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।
