ପଞ୍ଜଶୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ : ତାଲିବାନ୍
- ସାଲେହଙ୍କ ସମେତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ନେଇ ସୂଚନା
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଥିବା ତାଲିବାନ-ବିରୋଧି ପ୍ରତିରୋଧକାରୀ ଶକ୍ତିର ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶ ସମ୍ପୂର୍ଣ୍ଣ ରୂପେ ଅକ୍ତିଆରକୁ ଚାଲି ଆସିଛି ଏବଂ ଦେଶ ଏବେ ଯୁଦ୍ଧ ଭଉଁରିରୁ ମୁକ୍ତ ବୋଲି ସୋମବାର ଦିନ ତାଲିବାନ୍ ଘୋଷଣା କରିଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, ଅର୍ଥଲୋଭୀ ଶତ୍ରୁମାନଙ୍କ ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶ ଉପରେ ପୂର୍ଣ୍ଣ ବିଜୟ ହାସଲ ହୋଇଛି। ସର୍ବଶକ୍ତିମାନ ଈଶ୍ବରଙ୍କ ସାହାଯ୍ୟ ଏବଂ ଆମ ଦେଶବାସୀଙ୍କ ବ୍ୟାପକ ସମର୍ଥନଦ୍ବାରା, ଆମ ଦେଶ ଓ ପ୍ରଦେଶର ସମ୍ପୂର୍ଣ୍ଣ ନିରାପତ୍ତା ଲାଗି ଆମର ସଦ୍ୟତମ ଉଦ୍ୟମ ସଫଳ ହୋଇଛି।
ଜବିହୁଲ୍ଲା କହିଛନ୍ତି, ପଞ୍ଜଶୀରରେ ବହୁସଂଖ୍ୟକ ପ୍ରତିରୋଧକାରୀ ସଦସ୍ୟ ନିହତ ହୋଇଛନ୍ତି ଏବଂ ବାକି ପଳାୟନ କରିଛନ୍ତି। ସେ ଦାବି କରିଛନ୍ତି ପଣବନ୍ଦୀ ଥିବା ପଞ୍ଜଶୀରର ଅତ୍ୟାଚାରିତ ତଥା ସମ୍ମାନୀୟ ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରାଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇଛି। ପଞ୍ଜଶୀରର ସମ୍ମାନୀୟ ବ୍ୟକ୍ତିଙ୍କୁ ଆମେ ନିର୍ଭର ପ୍ରତିଶ୍ରୁତି ଦେଉଛୁ ଯେ, ସେମାନେ ବିଦ୍ବେଷର ସରବ୍ୟ ହେବେ ନାହିଁ, ସେମାନେ ଆମର ଭ୍ରାତା। ଆମେ ଗୋଟିଏ ଦେଶ, ଗୋଟିଏ ଲକ୍ଷ୍ୟ ସାଧନ ନିମନ୍ତେ କାର୍ଯ୍ୟ କରିବୁ। ଏହି ବିଜୟ ଓ ପ୍ରଚେଷ୍ଟା ପରେ ଆମ ଦେଶ ସମ୍ପୂର୍ଣ୍ଣରୂପେ ଯୁଦ୍ଧର ଭଉଁରିରୁ ମୁକ୍ତ ହୋଇଛି। ମୁକ୍ତ ବାତାବରଣରେ, ସ୍ବାଧୀନ ଓ ସମୃଦ୍ଧଶାଳୀ ହୋଇ ଦେଶବାସୀ ସୁଖଶାନ୍ତିରେ ଜୀବନଯାପନ କରିବେ।
ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ପଞ୍ଜଶିରର ବୀର କୁହାଯାଉଥିବା ଅହମଦ ମାସୁଦ ବିଶ୍ୱ ସମୁଦାୟ, ଜାତିସଂଘକୁ ସହାୟତା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ସେମାନଙ୍କ ନିକଟରେ ଥିବା ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ଆଦି ଶେଷ ହୋଇଆସୁଥିବା ଏବଂ ସେଠାରେ ଆଫଗାନିସ୍ତାନର ଅନ୍ୟାନ୍ୟ ଅଞ୍ଚଳରୁ ପଳାଇ ଆସି ଆଶ୍ରୟ ନେଇଥିବା ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ସେମାନେ ନିବେଦନ କରିଥିଲେ। କିନ୍ତୁ ସେମାନଙ୍କର ନିବେଦନ ବିଫଳ ହୋଇଥିଲା। ତାଲିବାନ ସହିତ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ ମଧ୍ୟ ନର୍ଦର୍ଣ୍ଣ ଆଲାଏନ୍ସକୁ ଶେଷରେ ପରାସ୍ତ ହେବାକୁ ପଡିଛି। ତାଲିବାନ ଆତଙ୍କିମାନେ ପଞ୍ଜଶିର ସମ୍ପୂର୍ଣ୍ଣ ଦଖଲ କରି ସେଠାରେ ଥିବା ଗଭର୍ଣ୍ଣର ହାଉସ ଉପରେ ତାଲିବାନି ପତାକା ଉଡାଇଛନ୍ତି। ଇତିମଧ୍ୟରେ ପଞ୍ଜଶିର ସୀମାନ୍ତକୁ ଲାଗିଥିବା ତାକିକିସ୍ତାନ ମଧ୍ୟକୁ ଅହମଦ ମାସୁଦ ଏବଂ ଅମରୁଲ୍ଲା ସାଲେହ ପଳାଇ ଯାଇଥିବା କୁହାଯାଉଛି।


