ତାଲିବାନ ଆକ୍ରମଣରେ ଏନଆରଏଫ ମୁଖପାତ୍ର ଫହୀମ ଦସ୍ତିଙ୍କ ମୃତ୍ୟୁ
- ଆଫଗାନିସ୍ତାନ ପଞ୍ଜଶିରରେ ଅସ୍ତ୍ରବିରତି ପ୍ରସ୍ତାବ ଦେଲା ନର୍ଦନ ରେଜିଷ୍ଟାନ୍ସ ଫୋର୍ସ
କାବୁଲ : ପଞ୍ଜଶୀରରେ ତାଲିବାନ ଓ ‘ନ୍ୟାସନାଲ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି । ଏହାମଧ୍ୟରେ ନ୍ୟାସନାଲ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍କୁ ବଡ ଝଟକା ଲାଗିଛି । ନ୍ୟାସନାଲ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ମୁଖପାତ୍ର ଫହୀମ ଦସ୍ତୀ ତାଲିବାନ ସହ ଲଢେଇ କରି ପ୍ରାଣ ହରାଇଛନ୍ତି । ଏ ନେଇ ‘ରେଜିଷ୍ଟାନ୍ସ୍ ଫୋର୍ସ’ର କେତେକ ‘ଟୁଇଟର୍’ ଆକାଉଣ୍ଟ୍ରେ ମଧ୍ୟ ପୋଷ୍ଟ୍ କରାଯାଇଛି। ଇତିମଧ୍ୟରେ ପଞ୍ଜଶିର ସୁରକ୍ଷା ପାଇଁ ଲଢେଇ କରୁଥିବା ଯୋଦ୍ଧାଙ୍କର ନେତୃତ୍ୱ ନେଉଥିବା ଅହମଦ ମାସୁଦ ଯୁଦ୍ଧ ବିରତି ସହିତ ତାଲିବାନ ଗୋଷ୍ଠୀ ସେଠାରୁ ଫେରିଯିବାକୁ ଆହ୍ୱାନ ଦେଇଛନ୍ତି। ଗତ ସପ୍ତାହ ଶେଷଭାଗରେ ଏହି ଗୋଷ୍ଠୀ ତାଲିବାନ ଆକ୍ରମଣରେ ବିପୁଳ କ୍ଷତିକ୍ଷତିର ସମ୍ମୁଖୀନ ହୋଇଥିବା କେତେକ ସୂଚ୍ରରୁ ଜାଣିବାକୁ ମିଳିଛି। ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ପଞ୍ଜଶିରକୁ ସୁରକ୍ଷିତ ରଖିବାକୁ ତାଲିବାନ ବିରୁଦ୍ଧରେ ଲଢେଇ କରିବାକୁ ଘୋଷଣା କରିଥିବା ଏହି ଗୋଷ୍ଠୀ ଶେଷରେ ତାଲିବାନ ନିକଟରେ ସର୍ତ୍ତ ରଖିଛି। ଅନ୍ୟ କୌଣସି ବିବରଣୀ ନ ଥିବା ସେହିପରି ଗୋଟାଏ ଟୁଇଟର୍ ପୋଷ୍ଟ୍ରେ ଉଲ୍ଲେଖ ଅଛି, ଗଭୀର ଦୁଃଖର ସହ ଆମେ ରିପୋର୍ଟ କରୁଛୁ ଯେ, ‘ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ମୁଖପାତ୍ର ଫହୀମ ଦସ୍ତୀଙ୍କୁ ଆତଙ୍କବାଦୀ ତାଲିବାନ୍ ହତ୍ୟା କରିଛି। ସାଦ୍ ମହସିନ୍ ନାମରେ ଅନ୍ୟ ଜଣେ ଟୁଇଟର୍ ବ୍ୟବହାରକାରୀ ପୋଷ୍ଟ୍ କରିଛନ୍ତି, ପଞ୍ଜଶୀରରୁ ଭୟାବହ ସମ୍ବାଦ ଆସିଛି। ଅବାଧ ଗଣମାଧ୍ୟମ ପାଇଁ ଫହୀମ ଦସ୍ତୀ ଖୁବ୍ ଉଦ୍ୟମ କରିଥିଲେ। ସେଥିପ୍ରତି ସେ ନଜର ଦେଉଥିଲେ। ତାଙ୍କର ଆତ୍ମା ଶାନ୍ତିରେ ଅବସ୍ଥାନ କରୁ। କିନ୍ତୁ, ଏ ରିପୋର୍ଟ ସବୁ କେତେ ଦୂର ସତ୍ୟ ସେ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ଯାଞ୍ଚ କରାଯାଇ ନାହିଁ। ରବିବାର ଦିନ ଦସ୍ତୀ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଥିଲେ ଯେ, ଏ ଅଞ୍ଚଳରୁ ଅଧିକାଂଶ ତାଲିବାନ୍ ଲଢୁଆଙ୍କୁ ବିତାଡ଼ିତ କରାଯାଇଛି। ତାଲିବାନ୍ ‘ରେଜିଷ୍ଟାନ୍ସ୍ ଫୋର୍ସ’ ସହ ଲଢ଼େଇ ଜାରି ରଖିଥିବା ବେଳେ ନିୟମିତ ଟୁଇଟ୍ କରି ଦସ୍ତୀ ସେ ଅଞ୍ଚଳର ସଦ୍ୟତମ ସୂଚନା ଜଣାଉଥିଲେ। ପ୍ରତିରକ୍ଷାତ୍ମକ ବିବୃତି ଦେଇ ସେ ଲେଖୁଥିଲେ କି, ‘ରେଜିଷ୍ଟାନ୍ସ୍ ଫୋର୍ସ’ ତାଲିବାନ୍ ସହ ଲଢ଼େଇ ଚାଲୁ ରଖିବ। ଅନ୍ୟ ଏକ ରିପୋର୍ଟ ଅନୁସାରେ, ଏହି ଲଢ଼େଇର ଅବସାନ ନିମନ୍ତେ ବୁଝାମଣା ପାଇଁ ପ୍ରସ୍ତାବ ଦେବାକୁ ପଞ୍ଜଶୀରରେ ‘ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ ରବିବାର ଦିନ ଧର୍ମଗୁରୁମାନଙ୍କୁ ଅନୁରୋଧ କରିଛି। ‘ନ୍ୟାସ୍ନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ’ର ମୁଖ୍ୟ ଅହମଦ୍ ମାସୌଦ୍ ସଙ୍ଗଠନର ‘ଫେସ୍ବୁକ୍ ପେଜ୍’ରେ ଏପରି ଘୋଷଣା କରିଛନ୍ତି।
ସୂଚନା ଯେ, ପଞ୍ଜଶିର ଉପତ୍ୟକା କାବୁଲ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ଉତ୍ତରକୁ ଅବସ୍ଥିତ ଏବଂ ତାଲିବାନ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳ ନିଜ ଦଖଲକୁ ନେବାରେ ସଫଳ ହୋଇନାହିଁ। ଏହା ପଞ୍ଜଶିରରେ ରେଜିଷ୍ଟାନ୍ସ ବାହିନୀ ପକ୍ଷରୁ କଡା ମୁକାବିଲାର ସମ୍ମୁଖୀନ ହେଉଛି। ଶୁକ୍ରବାର ରାତିରେ ଜୋରଦାର ଆକ୍ରମଣରେ ପଞ୍ଜଶିର ରେଜିଷ୍ଟାନ୍ସ ବାହିନୀର ଅନେକ ଲଢୁଆ ମୃତାହତ ହୋଇଥିବା କୁହାଯାଉଛି। ଏହା ଯେକୌଣସି ସମୟରେ ତାଲିବାନ ହାତରେ ପଡିପାରେ ବୋଲି ସାମାଜିକ ଗଣମାଧ୍ୟମରେ କୁହାଯାଉଥିବାବେଳେ ନର୍ଦର୍ଣ୍ଣ ରେଜଷ୍ଟାନ୍ସ ବାହିନୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଇତିମଧ୍ୟରେ ରେଜିଷ୍ଟାନ୍ସ ବାହିନୀର ମୁଖପାତ୍ର ତଥା ଜଣେ ସୁପରିଚିତ ସାମ୍ବାଦିକ ଫହିମ ଦସ୍ତିଙ୍କ ନିଧନ ସମ୍ପର୍କରେ ରେଜିଷ୍ଟାନ୍ସ ବାହିନୀର ବୈଦେଶିକ ବ୍ୟାପାର ବିଭାଗ ମୁଖ୍ୟ ଅଲି ମୈସାମ ନଜାରେ ସ୍ପଷ୍ଟ କରିଛନ୍ତି। ଏକ ସୂତ୍ର ଅନୁଯାୟୀ ଦସ୍ତ ଜମାତ ଇ ଇସଲାମି ପାର୍ଟିର ଜଣେ ସଦସ୍ୟ ଥିଲେ। ତାହାସହିତ ସେ ଫେଡେରେସନ ଅଫ ଆଫଗାନ ଜର୍ଣ୍ଣାଲିଷ୍ଟସର ଜଣେ ସଦସ୍ୟ ମଧ୍ୟ ରହିଥିଲେ।ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ଘଟଣାକ୍ରମରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିର ଛାଡି ତାଜିକିସ୍ତାନକୁ ପଳାଇ ଯାଇଛନ୍ତି। ପୂର୍ବରୁ ତାଙ୍କ ଝିଅ କହିଥିଲେ ଯେ ସାଲେହଙ୍କ ପରିବାର କାବୁଲରେ ଆତ୍ମଗୋପନ କରିଛନ୍ତି। ତାଲିବାନ ଆତଙ୍କିମାନେ ସାଲେହଙ୍କ ଘର ଉପରେ ବଡଧରଣର ଆକ୍ରମଣ କରି ତାକୁ ନଷ୍ଟ କରିଦେଇଥିବା ଖବର ମଧ୍ୟ ମିଳିଛି।
