ଚତୁର୍ଥ ଟେଷ୍ଟ : ଭାରତ ୪୬୬ରେ ଅଲଆଉଟ୍
- ଇଂଲଣ୍ଡ ଆଗରେ ୩୬୮ ରନ ଟାର୍ଗେଟ୍
ଓଭାଲ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଘରୋଇ ଦଳକୁ ୩୬୮ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ଭାରତ ୪୬୬ ରନରେ ଅଲଆଉଟ୍ ହୋଇଛି। ଆଉ ଏଥିସହ ଭାରତ ୩୬୭ ରନର ବଡ଼ ଅଗ୍ରଣୀ ହାସଲ କରି ଇଂଲଣ୍ଡ ପାଇଁ କଷ୍ଟସାଧ୍ୟ ଟାର୍ଗେଟ୍ ଧାର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ଶତକ ପରେ ଚତୁର୍ଥ ଦିନରେ ଶାର୍ଦ୍ଦୁଳ ଠାକୁର ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ଵିତୀୟ ଇନିଂସରେ ୪୬୬ ରନରେ ଅଲଆଉଟ୍ ହୋଇଛି। ଇଂଲଣ୍ଡ ସମ୍ମୁଖରେ ରହିଛି ୩୬୮ ରନର ବିଜୟ ଲକ୍ଷ୍ୟ। ଚତୁର୍ଥ ଦିନରେ ଖେଳ ପାଖାପାଖି ଆହୁରି ଗୋଟିଏ ସେସନ ବାକି ରହିଛି। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ରୋହିତ ଶର୍ମା(୧୨୭), ଚେତେଶ୍ଵର ପୂଜାରା(୬୧)ଙ୍କ ପରେ ଋଷଭ ପନ୍ତ(୫୦) ଓ ଶାର୍ଦ୍ଦୁଳ ଠାକୁର(୬୦) ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓ୍ଵକ୍ସ ୩ ଏବଂ ଓଲି ରବିନସନ ଓ ମୋଇନ ଅଲ୍ଲୀଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୯୦ ରନ କରି ଭାରତଠୁ ୯୯ ରନ ଅଗ୍ରଣୀ ହାସଲ କରିଥିଲା। ଭାରତ ପ୍ରଥମ ଇନିଂସରେ ୧୯୦ ରନ କରିଥିଲା।
ଭାରତ ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୦ ରନରେ ଅଲଆଉଟ୍ ହୋଇଥିଲା। ୯୯ ରନରେ ପଛୁଆ ଥିବା ଭାରତ ଦ୍ୱିତୀୟ ଇନିଂସରେ ଜବରଦସ୍ତ ବ୍ୟାଟିଂ କରିଛି। ଭାରତ ପକ୍ଷରୁ ଓପ୍ନର ରୋହିତ୍ ଶର୍ମା ଶତକ ମାରିଥିବା ବେଳେ ଚେତେଶ୍ୱର ପୂଜାରା, ଶାର୍ଦ୍ଦୁଲ ଠାକୁର ଓ ଋଷଭ ପନ୍ତ ଅର୍ଦ୍ଧଶତକ ମାରିଛନ୍ତି। ଶେଷଆଡ଼କୁ ଉମେଷ ଯାଦବ ଦ୍ରୁତ ୨୫ (୨୩ ବଲ୍, ୧ ଚୌକା, ୨ ଛକା) ରନ୍ କରିଛନ୍ତି। ସେ ଯଶପ୍ରୀତ ବୁମ୍ରାଙ୍କ ସହ ନବମ ୱିକେଟ୍ ପାଇଁ ୩୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଛନ୍ତି । ତେବେ ଏହା ପୂର୍ବରୁ ଶାର୍ଦ୍ଦୁଲ ଓ ପନ୍ତ ଖେଳିଥିବା ଦମଦାର ଇନିଂସ। ଦୁହେଁ ଅର୍ଦ୍ଧଶତକ ମାରିବା ସହ ସପ୍ତମ ୱିକେଟ୍ ପାଇଁ ୧୦୦ ରନର ଜବରଦସ୍ତ ଭାଗିଦାରୀ କରିଥିଲେ। ଯାହା ବଳରେ ଭାରତକୁ ୩୦୦ ରନ୍ ଲିଡ୍ କରିବାରେ ସହାୟକ ହୋଇଥିଲା। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ। ରାହାଣେଙ୍କୁ ମଧ୍ୟ ଓକ୍ସ ଆଉଟ୍ କରିଥିଲେ। କ୍ୟାପଟେନ୍ କୋହଲି (୪୪) ଆଉ ଏକ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମୋଇନ୍ ଅଲୀ ପ୍ୟାଭିଲିୟନ ପଠାଇଥିଲା। ୩୧୨ ରନରେ ୬ ୱିକେଟ୍ ହରାଇବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ପନ୍ତ ଓ ଶାର୍ଦ୍ଦୁଲଙ୍କ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିବା ବେଳେ ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଶାର୍ଦ୍ଦୁଲ ୬୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ଶାର୍ଦ୍ଦୁଲ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ଇଂଲିଶ ଟିମର କ୍ୟାପଟେନ୍ ଜୋ ରୁଟ୍ ପ୍ୟାଭିଲିୟନ୍ ପଠାଇଥିଲେ।
