ଚତୁର୍ଥ ଟେଷ୍ଟ : ଚତୁର୍ଥ ଦିନରେ ଭାରତର ବ୍ୟାଟିଂ ଆରମ୍ଭ
- ୩୦୦ ରନ ଅଗ୍ରଣୀ ହେଲେ ଚାପରେ ରହିବ ଇଂଲଣ୍ଡ !
ଓଭାଲ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରିରହିଥିବା ୪ର୍ଥ ଟେଷ୍ଟର ରବିବାର ଚତୁର୍ଥ ଦିନ ଖେଳ ଆରମ୍ଭ ହୋଇଛି । ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଅଲଆଉଟ୍ ହୋଇତିବା ଭାରତ ରୋହିତ ଶର୍ମାଙ୍କ ଶତକ ଓ ପୂଜାରଙ୍କ ଅର୍ଦ୍ଧଶତକ ଫଳରେ ଦ୍ୱିତୀୟ ଇନିଂସରେ ଜବରଦସ୍ତ କମବ୍ୟାକ୍ କରିଛି । ଦଳ ମ୍ୟାଚର ତୃତୀୟ ଦିନ ଶନିବାର ଖେଳ ସୁଦ୍ଧା ୩ ଓ୍ୱିକେଟ୍ ହରାଇ ୨୭୦ ରନ୍ ସଂଗ୍ରହ କରିଥିଲା । ହାତରେ ଆହୁରି ୭ ଓ୍ଵିକେଟ୍ ବାକି ଥାଇ ଭାରତ ଘରୋଇ ଇଂଲଣ୍ଡଠୁ ୧୭୧ ରନରେ ଅଗ୍ରଣୀ ହାସଲ କରିଛି। ଅଧିନାୟକ ବିରାଟ କୋହଲି(୨୨) ଓ ରବୀନ୍ଦ୍ର ଜାଡେଜା(୯) କରି କ୍ରିଜରେ ଅପରାଜିତ ରହିଥିଲେ। ଆଜି ଉଭୟେ ଖେଳ ଆରମ୍ଭ କରିଛନ୍ତି ।
ଏନେଇ କମେଣ୍ଟେଟର୍ ସୁଶିଲ ଦୋଷୀଙ୍କ କହିବାନୁସାରେ, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଭଲ ବ୍ୟାଟିଂ କରିଥିଲେ । ଯଦି ଭାରତ ୩୦୦ରୁ ଅଧିକ ରନର ଆଗୁଆ ରହେ ତେବେ ଇଂଲଣ୍ଡ ଉପରେ ଚାପ ପକାଇପାରିବ । ସେ କହିଛନ୍ତି ଯେ, ରୋହିତ ଜବରଦସ୍ତ ବ୍ୟାଟିଂ କରିଥିଲେ । ସେ ଟେଷ୍ଟ୍ କ୍ରିକେଟରେ ନିଜର ଅଷ୍ଟମ ଶତକ ପୂରଣ କରିଛନ୍ତି । ରୋହିତ ଯେଭଳି ଭାବେ ବ୍ୟାଟିଂ କରୁଥିଲେ ଲାଗୁଥିଲା କ୍ରିକେଟ୍ ବଲ ତାଙ୍କୁ ଫୁଟବଲ ଭଳି ଲାଗୁଛି । ସେ ଛକା ଲଗାଇ ଶତକ ପୂରଣ କରିଥିଲେ । ସେହିପରି ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ୍ ଭଲ ବୋଲିଂ କରିଥିଲେ । ତାଙ୍କ ପାଖରେ ଅଦିକ ଅନୁଭବ ନଥିଲେ ମଧ୍ୟ ସେ ସଠିକ୍ ଲାଇନ୍ ଲେନ୍ଥରେ ବଲ୍ ପକାଉଥିଲେ । ତେବେ ଭାରତ ବଡ ସ୍କୋର ଅଭିମୁଖେ ଅଗ୍ରସର ହେଉଛି । କିନ୍ତୁ ଚତୁର୍ଥ ଦିନରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପାଇଁ ସମସ୍ୟା ହୋଇପାରେ । ଯଦି ବିରାଟ କୋହଲିଙ୍କ ବ୍ୟାଟ୍ ଚାଲେ ତେବେ ଭାରତ ପାଇଁ ବିଜୟ ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ସୂଚନା ଯେ, ଭାରତ ୪୩/୦ରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ଖେଳାଳି ପ୍ରଥମ ଓ୍ଵିକେଟ୍ ପାଇଁ ୮୩ ରନ ଯୋଡିଥିଲେ। ହେଲେ ସେଟ୍ ହୋଇଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଜେମ୍ସ ଆଣ୍ଡରସନ। ଆଣ୍ଡରସନ ୩୪ତମ ଓଭରରେ କେଏଲ ରାହୁଲ(୪୬)ଙ୍କୁ ଆଉଟ୍ କରିଥିଲେ। ଏହା ପରେ ରୋହିତ ଓ ଚେତେଶ୍ଵର ପୂଜାରା ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ କ୍ରିଜରେ ଜମି ରହି ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ। ଏହି କ୍ରମରେ ରୋହିତ ଶର୍ମା ମୋଇନ ଅଲ୍ଲୀଙ୍କ ବଲ୍ରେ ଛକା ମାରି ୨୦୪ ବଲ୍ରେ ନିଜର ଅଷ୍ଟମ ଟେଷ୍ଟ ଶତକ ପୂରଣ କରିଥିଲେ। ବିଦେଶ ମାଟିରେ ରୋହିତଙ୍କ ଏହା ପ୍ରଥମ ଟେଷ୍ଟ ଶତକ। ସେପଟେ ଚେତେଶ୍ଵର ପୂଜାରା ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ୩୧ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ସେସନରେ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇଥିବା ଭାରତ ଦ୍ଵିତୀୟ ସେନସରେ କୌଣସି ଓ୍ଵିକେଟ୍ ହରାଇନଥିଲା। ହେଲେ ଶେଷ ସେସନରେ ବଲ୍ ପରିବର୍ତ୍ତନ ହେବା ମାତ୍ରେ ଏହାର ପ୍ରଥମ ଓଭରରେ ଭାରତକୁ ଡବଲ ଝଟକା ଦେଇଥିଲେ ଓଲି ରବିନସନ। ସେ ରୋହିତ ଓ ପୂଜାରାଙ୍କୁ ପାଭିଲିୟନ ପଠାଇଥିଲେ। ରବିନସନଙ୍କ ବଲ୍ରେ ପୁଟ୍ ସଟ୍ ଖେଳିବାକୁ ଯାଇ ରୋହିତ ଶର୍ମା କ୍ୟାଚ୍ ଆଉଟ୍ ହୋଇଥିଲେ। ଏଥିସହ ରୋହିତଙ୍କ ୧୨୭ ରନର ମାରାଥନ ଇନିଂସର ଅନ୍ତ ଘଟିଥିଲା। ଏହି ସମୟରେ ରୋହିତ ୧୪ ଚୌକା ଓ ୧ ଛକା ଲଗାଇଥିଲେ। ଏହା ବାଦ୍ ଚେତେଶ୍ଵର ପୂଜାରାଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍ରେ ୧୫୩ ରନ ଯୋଡି ଭାରତର ସ୍ଥିତି ମଜବୁତ କରିଥିଲେ। ରୋହିତଙ୍କ ପରେ ପରେ ପୂଜାରା ମଧ୍ୟ ଆଉଟ୍ ହୋଇଥିଲେ। ସେ ୬୧ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଦିନର ଖେଳ ଶେଷ ପର୍ଯ୍ୟନ୍ତ ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ରେ ଏ ପର୍ଯ୍ୟନ୍ତ ୩୩ ରନ ଯୋଡି ସାରିଛନ୍ତି। ବିରାଟ ୨୨ ଏବଂ ଜାଡେଜା ୯ ରନ କରି ଅପରାଜିତ ଅଛନ୍ତି। ଇଂଲଣ୍ଡ ପକ୍ଷରୁ ଓଲି ରବିନସନ ୨ ଏବଂ ଜେମ୍ସ ଆଣ୍ଡରସନ ଗୋଟିଏ ସଫଳତା ହାସଲ କରିଥିଲେ ।
