ସ୍ତ୍ରୀକୁ ହତ୍ୟା, ପରେ ସ୍ୱାମୀର ଆତ୍ମହତ୍ୟା
ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଉଛନ୍ତି ପାଣ ଗଉଡଙ୍କ ପୁଅ ବିପିନ ଗଉଡ ଓ ବୋହୁ ଲିଲି ଗଉଡ।
ଖବର ଅନୁଯାୟୀ, ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ବାପା ମାଆଙ୍କ ସହ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ। ସକାଳୁ ପୁଅ ବୋହୂ ବାହାରକୁ ନ ଆସିବାରୁ ବାପା ସେମାନଙ୍କୁ ଡାକିବାକୁ ଯାଇଥିଲେ। ଝରକା ବାଟେ ଦେଖିବାକୁ ପାଇଥିଲେ ଯେ ରକ୍ତରଞ୍ଜିତ ବୋହୂର ଶରୀର ଖଟ ଉପରେ ପଡିଛି ଓ ପୁଅର ଶରୀର ଝୁଲୁଛି । ଏନେଇ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କୋଠରୀ ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ରକ୍ତଲଗା କଟୁରିକୁ ଜବତ କରିଛି । ପାରିପାର୍ଶ୍ଵିକୁ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଚଳାଇଛି। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ପରେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରି ନିଜେ ବିପିନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ନବ ଦମ୍ପତିଙ୍କ କଳହ ଓ ସମ୍ପର୍କ ନେଇ ଘର ଲୋକଙ୍କୁ ପଚରାଉଚରା କରାଯାଉଛି। ସୂଚନା ଯେ, ମାତ୍ର ୪ ମାସ ତଳେ ଅରଖପୁରର ମଦନ ଗଉଡଙ୍କ ଝିଅ ଲିଲିଙ୍କୁ ବିପିନ ବିବାହ କରିଥିଲେ।
