ବାଜିଲା ଉପନିର୍ବାଚନ ବିଗୁଲ : ବିଧାୟିକା ହେବେ ଦିଦି
କୋଲକାତା : ଶେଷରେ ପଶ୍ଚିମବଙ୍ଗରେ ବହୁ ପ୍ରତୀକ୍ଷିତ ଉପନିର୍ବାଚନର ତାରିଖର ଘୋଷଣା ଶନିବାର ହୋଇଯାଇଛି । ଏଥର ବିଧାନସଭା ନିର୍ବାଚନ ସମୟରେ ନନ୍ଦୀଗ୍ରାମରୁ ନିର୍ବାଚନ ହାରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରେ ରହିବା ପାଇଁ ଭବାନୀପୁର ବିଧାନସଭା ସିଟ୍ରୁ ଉପନିର୍ବାଚନ ଲଢ଼ିବାର ଅଛି । ଏଠାରେ ୩୦ ସେପ୍ଟେମ୍ବରରେ ମତଦାନ ହେବ ।
ଏହାବ୍ୟତୀତ ଏହି ଦିନ ମୁର୍ଶିଦାବାଦ ଜିଲ୍ଲାରେ ଜଙ୍ଗିପୁର ଏବଂ ଶାମଶେରଗଞ୍ଜ ବିଧାନସଭା ଅଂଚଳରେ ମଧ୍ୟ ଉପନିର୍ବାଚନ ହେବ । ଏହି ଦୁଇ ବିଧାନସଭା ଅଂଚଳରେ ନିକଟରେ ଶେଷହୋଇଥିବା ନିର୍ବାଚନ ପୂର୍ବରୁ ନାମାଙ୍କନ ଦାଖଲ କରିଥିବା ଆଶାୟୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଏଥିପାଇଁ ଏଠାରେ ସାଧାରଣ ନିର୍ବାଚନ ହୋଇନଥିଲା । ଏବେ ଯେତେବେଳେ ଶନିବାର ଦିନ ନିର୍ବାଚନ ଆୟୋଗ ୩୦ ସେପ୍ଟେମ୍ବର ଦିନ ଭବାନୀପୁରରେ ଉପନିର୍ବାଚନ ଘୋଷଣା କରିଛନ୍ତି ସେତେବେଳେ ଏହାସହିତ ଜଙ୍ଗିପୁର ଏବଂ ଶାମଶେର ଗଂଜରେ ମଧ୍ୟ ମତଦାନର ଘୋଷଣା କରାଯାଇଛି । ଆୟୋଗଙ୍କ ତରଫରୁ ଜାରି ଅନୁସାରେ ୬ରୁ ୧୩ ସେପ୍ଟେମ୍ବର ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯାଇପାରେ । ୧୪ ସେପ୍ଟେମ୍ବର ଦିନ ସ୍କୁଟନିଂ ହେବ । ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ନାମାଙ୍କନ ଫେରସ୍ତ ନିଆଯାଇପାରେ । ୩୦ ସେପ୍ଟେମ୍ବର ଦିନ ମତଦାନ ଏବଂ ତିନି ଅକ୍ଟୋବରକୁ ଭୋଟଗଣତି ହେବ । ପାଂଚ ଅକ୍ଟୋବର ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ । ଉଲ୍ଲେଖନୀୟ ଯେ ଭବାନୀପୁର ବିଧାନସଭା କ୍ଷେତ୍ରରୁ ମମତା ବାନାର୍ଜୀ ଗତ ଦୁଇଥର ନିର୍ବାଚନ ଲଢ଼ୁଛନ୍ତି । ତେବେ ଏଥର ତାଙ୍କର କ୍ୟାବିନେଟ୍ରେ ସହଯୋଗୀ ରହିଥିବା ଶୁଭେନ୍ଦୁ ଅଧିକାରୀ ଭାରତୀୟ ଜନତା ପାର୍ଟିକୁ ଚାଲିଯିବା ପରେ ସେ ନିଜେ ଅଧିକାରୀଙ୍କୁ ହରେଇବା ପାଇଁ ଟକ୍କର ଦେଇ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବାର ଘୋଷଣା କରିଥିଲେ । ମାତ୍ର ସେ ସେଠାରୁ ଜିତିପାରି ନଥିଲେ ।
