ରାହୁଲଙ୍କ ୱିକଟେ୍ ନେଇ ଥାର୍ଡ଼ ଅମ୍ପାୟରଙ୍କ ନିଷ୍ପତି ଉପରେ ଉଠିଲା ପ୍ରଶ୍ନ
ଓଭାଲ : ଓଭାଲ ଟେଷ୍ଟର ଦ୍ଵିତୀୟ ଇନିଂସରେ ରୋହିତ ଶର୍ମା ଓ ଲୋକେଶ ରାହୁଲ ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଛନ୍ତି। ଦୁଇ ଖେଳାଳି ପ୍ରଥମ ଓ୍ଵିକେଟ୍ ପାଇଁ ୮୩ ରନ ଯୋଡିଛନ୍ତି। ହେଲେ ସେଟ୍ ହୋଇଥିବା ଏହି ଯୋଡିକୁ ଭାଙ୍ଗିଛନ୍ତି ଜେମ୍ସ ଆଣ୍ଡରସନ। ଆଣ୍ଡରସନ ୩୪ତମ ଓଭରରେ କେଏଲ ରାହୁଲ(୪୬)ଙ୍କୁ ଆଉଟ୍ କରିଛନ୍ତି। ହେଲେ କେଏଲ ରାହୁଲଙ୍କ ଓ୍ଵିକେଟ୍ ନେଇ ବିବାଦ ସୃଷ୍ଟି ହୋଇଛି। ଓ୍ଵିକେଟ୍ ପଛରେ ଜୋନି ବେୟାରଷ୍ଟୋ ରାହୁଲଙ୍କ କ୍ୟାଚ୍ ଧରିଛନ୍ତି। ହେଲେ ଅମ୍ପାୟର ତାଙ୍କୁ ନଟଆଉଟ୍ ଦେଇଥିଲେ। ଇଂଲଣ୍ଡ ରିଭ୍ୟୁ ନେଇଥିଲା ଏବଂ ତୃତୀୟ ଅମ୍ପାୟର ରାହୁଲଙ୍କୁ ଆଉଟ୍ ଘୋଷିତ କରିଛନ୍ତି। ହେଲେ ରାହୁଲ ତୃତୀୟ ଅମ୍ପାୟରଙ୍କ ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଏବଂ ମୁଣ୍ଡ ହଲାଇ ପାଭିଲିୟନ ଅଭିମୁଖେ ଚାଲି ଯାଇଛନ୍ତି। କେବଳ କେଏଲ ରାହୁଲ ନୁହେଁ କମେଣ୍ଟ୍ରି କରୁଥିବା ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ମଧ୍ୟ କେଏଲଙ୍କ ଏହି ପରି ଆଉଟ୍ରେ ନିରାଶ ବ୍ୟକ୍ତ କରିଛନ୍ତି। ସେ ତୃତୀୟ ଅମ୍ପାୟରର ଏହି ନିଷ୍ପତ୍ତି ଉପରେ ଆପତ୍ତି ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଅନେକ ପ୍ରଶଂସକ ରାହୁଲ ନଟଆଉଟ୍ ଥିଲେ ବୋଲି କହିଛନ୍ତି। କିନ୍ତୁ କିଛି ଲୋକଙ୍କ ମତରେ ରାହୁଲ ଆଉଟ୍ ଥିଲେ ଏବଂ ତୃତୀୟ ଅମ୍ପାୟର ସଠିକ୍ ନିଷ୍ପତ୍ତି ଦେଇଛନ୍ତି।
୩୪ତମ ଓଭରର ଶେଷ ବଲରେ ଜେମ୍ସ ଆଣ୍ଡରସନ ସଠିକ୍ ସ୍ଥାନରେ ବଲ୍ ପକାଇଥିଲେ ଏବଂ ବଲ୍ ପଡି ବାହାରକୁ ଯାଇଥିଲା। କେଏଲ ରାହୁଲ ବଲ୍କୁ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ ମିସ୍ କରି ଯାଇଥିଲେ। ଏହା ପରେ ଇଂଲଣ୍ଡ ଖେଳାଳି ଜୋରଦାର ଅପିଲ୍ କରିଥିଲେ ହେଁ ଅମ୍ପାୟର ରାହୁଲଙ୍କୁ ନଟଆଉଟ୍ ଦେଇଥିଲେ। ପରେ ଅଧିନାୟକ ଜୋ ରୁଟ୍ ତୁରନ୍ତ ଡିଆରଏସର ସାହାରା ନେଇଥିଲେ। ତୃତୀୟ ଅମ୍ପାୟର ସ୍ନିନକୋ ମିଟରର ସହାୟତା ନେଇଥିଲେ ଏବଂ ବଲ୍ ବ୍ୟାଟ୍ରେ ବାଜିବା ସଙ୍କେତ ଦେଖିବା ପରେ ରାହୁଲଙ୍କୁ ଆଉଟ୍ ଘୋଷିତ କରିଥିଲେ। ହେଲେ ରାହୁଲ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତିରେ ଖୁସି ନଥିଲେ। ସାମାଜିକ ଗଣମାଧ୍ୟମରେ ରାହୁଲଙ୍କ ଆଉଟ୍କୁ ନେଇ ପ୍ରଶଂସକ ଦୁଇଟି ଭାଗରେ ବିଭକ୍ତ ହୋଇ ଯାଇଛନ୍ତି। କେହି ରାହୁଲ ଆଉଟ୍ ଥିବା କହୁଥିବା ବେଳେ କେହି ନଟ୍ଆଉଟ୍ କହୁଛନ୍ତି। କେଏଲ ଦ୍ଵିତୀୟ ଇନିଂସରେ ୪୬ ରନର ଇନିଂସ ଖେଳିବା ସହ ସିରିଜ୍ରେ ନିଜର ୩୦୦ ରନ ମଧ୍ୟ ପୂରଣ କରିଛନ୍ତି। କିନ୍ତୁ ଓଭାଲ ଟେଷ୍ଟରେ ଦଳ ରାହୁଲଙ୍କଠୁ ବଡ ଇନିଂସର ଆଶା ରଖିଥିଲା।
