ପାରା ଅଲିମ୍ପିକ୍ସ : ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ
- ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ
ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଶାର ପ୍ରମୋଦ ଭଗତ । ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି । ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ଏକକ ବର୍ଗ ଏସଏଲ ୩ରେ ଭଗତ ଚାମ୍ପିଅନ ହୋଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ପାରା ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ଚତୁର୍ଥ ଗୋଲ୍ଡ ଜିତିବାରେ ସଫଳ ହୋଇଛି। ଡାନିଏଲଙ୍କୁ ସେ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି । ବିଶ୍ବର ନଂ୧ ମାନ୍ୟତା ପ୍ରାପ୍ତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରମୋଦ ଏବେ ପାରା ବ୍ୟାଡମିଣ୍ଟନରେ ଉଭୟ ବିଶ୍ବ ଓ ଏସୀୟ ଚାମ୍ପିଅନ ଅଛନ୍ତି । ମାତ୍ର ୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇଥିବା ପ୍ରମୋଦଙ୍କ ନାମରେ ମୋଟ ୪୫ଟି ଅନ୍ତର୍ଜାତୀୟ ମେଡାଲ ରହିଛନ୍ତି । ସେ ମୋଟ ୪ଟି ବିଶ୍ବ ଚାମ୍ପିଅନସିପ ଓ ୨୦୧୮ ଏସୀୟ ପାରା ଗେମ୍ସରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ । ପ୍ରମୋଦଙ୍କ ଏହି ସଫଳତା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
Pramod Bhagat has won the hearts of the entire nation. He is a Champion, whose success will motivate millions. He showed remarkable resilience & determination. Congratulations to him for winning the Gold in Badminton. Best wishes to him for his future endeavours. @PramodBhagat83
— Narendra Modi (@narendramodi) September 4, 2021
ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ ପ୍ରମୋଦ ସାରା ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ସେ ଜଣେ ଚାମ୍ପିଅନ, ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ । ସେ ଉଲ୍ଲେଖନୀୟ ଅଧ୍ୟବସାୟ ଓ ନିଷ୍ଠାର ପ୍ରଦର୍ଶନ କରିଛନ୍ତି । ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ତାଙ୍କର ଆଗାମୀ ପ୍ରତିଯୋଗିତାଗୁଡ଼ିକ ପାଇଁ ତାଙ୍କୁ ଶୁଭେଚ୍ଛା ।
ସ୍ବର୍ଣ୍ଣିମ ମୁହୂର୍ତ୍ତ !#Tokoy2020 ର #ParaBadminton ରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।#Cheer4India #Praise4Para pic.twitter.com/4gWBVU2d9Y
— Naveen Patnaik (@Naveen_Odisha) September 4, 2021
ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ” ସ୍ବର୍ଣ୍ଣିମ ମୁହୂର୍ତ୍ତ ! ଟୋକିଓ୨୦୨୦ ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।”
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ପ୍ରମୋଦ ଭଗତ ଦେଶର ଜଣେ ଶ୍ରେଷ୍ଠ ପାରା ସଟଲର । ପାରା ଅଲିମ୍ପିକ୍ସରେ ତାଙ୍କ ସଫଳତା ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ଆନନ୍ଦ ଆଣିଦେଇଛି । ଭାରତ ପାଇଁ ଆଉ ଏକ ଗୌରବ ଆଣିଥିବାରୁ ଅଭିନନ୍ଦନ ।
