ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍
- ସେପ୍ଟେମ୍ବର ୩୦ରେ ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି : ନିର୍ବାଚନ କମିଶନର
ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାରେ ଅନ୍ତ । କରୋନା ପାଇଁ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବ ପିପିଲି ଉପନିର୍ବାଚନ ନେଇ ଘୋଷଣା କଲେ ନିର୍ବାଚନ କମିଶନ । ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୧୩ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଓ ୧୬ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତେବେ ପିପିଲି ବାଜି କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।
ସୂଚନା ଯେ, ପୂର୍ବରୁ ପିପିଲି ଉପନିର୍ବାଚନ ଦୁଇ ଦୁଇଥର ସ୍ଥଗିତ ହୋଇଛି । ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନଟି ଖାଲି ପଡିଥିଲା । ଏହାପରେ ଉପନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କିଛି ଦିନ ପୂର୍ବରୁ ପୁଣି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ଏହାପରେ ନିର୍ବାଚନକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ପୁଣି ନିର୍ବାଚନ କରିବାକୁ ସମସ୍ତ ଦଳ ପ୍ରସ୍ତୁତି କରୁଥିବା ବେଳେ ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଲାଗି ଉପନିର୍ବାଚନ ଉପରେ ଅନିର୍ଦ୍ଧିଷ୍ଠ କାଳ ରୋକ ଲଗାଇଥିଲେ ନିର୍ବାଚନ କମିଶନର । ଏବେ କରୋନା ସଂକ୍ରମଣ କମିବା ପରେ ପୁଣି ଥରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ଆସନ୍ତା ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାପରେ ଅକ୍ଟୋବର ୩ତାରିଖରେ ପିପିଲି ନିର୍ବାଚନ ଲାଗି ଭୋଟ ଗଣତି ହେବ । ସେହି ଦିନ ହିଁ ଭୋଟ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନର ।
