ଚତୁର୍ଥ ଟେଷ୍ଟ: ଦ୍ଵିତୀୟ ଇନିଂସରେ ଭାରତ ୪୩/୦
- ଇଂଲଣ୍ଡ ଠାରୁ ୫୬ ରନରେ ପଛୁଆ
ଓଭାଲ : ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଓଭାଲରେ ଜାରି ରହିଛି । ଶୁକ୍ରବାର ଦ୍ଵିତୀୟ ଇନିଂସରେ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା କୌଣସି ଓ୍ଵିକେଟ୍ ନହରାଇ ୪୩ ରନ କରିଛି ଭାରତ । ରୋହିତ ଶର୍ମା(୨୦) ଓ କେଏଲ ରାହୁଲ(୨୨) କ୍ରିଜରେ ଅପରାଜିତ ଅଛନ୍ତି। ଦଳ ଏବେ ମଧ୍ୟ ଇଂଲଣ୍ଡଠୁ ୫୬ ରନରେ ପଛୁଆ ରହିଛି।
ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଅଦ୍ୟାବଧି ଇଂଲଣ୍ଡର ପ୍ରାଧ୍ୟାନ୍ୟ ଜାରି ରହିଛି । ବୋଲିଂ ପରେ ବ୍ୟାଟିଂରେ କମାଲ ପ୍ରଦର୍ଶନ କରି କ୍ରିସ୍ ଓ୍ଵକ୍ସ ଇଂଲଣ୍ଡର ସ୍ଥିତି ମଜବୁତ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଇନିଂସ୍ରେ ୯୯ ରନ୍ର ଗୁରୁତ୍ୱପୂର୍ଣ୍ଣ ଲିଡ୍ ହାସଲ କରିଛି ଘରୋଇ ଇଂଲଣ୍ଡ। ଏକାଦା ୬୨ ରନ୍ରେ ୫ ୱିକେଟ ହରାଇଥିବା ଇଂଲଣ୍ତ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା ଓଲି ପପ୍ଙ୍କ ଲଢ଼ୁଆ ୮୧ ଓ କ୍ରିସ ୱିକ୍ସଙ୍କ ୫୦ ରନ୍ ବେଳେ ୨୯୦ ରନ୍ କରି ନେଇଛି। ଭାରତ ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ବେଳେ ଇଂଲଣ୍ଡ ୯୯ ରନ୍ରେ ଆଗୁଆ ହୋଇଯାଇଛି। ତେଣୁ ଏହି ମ୍ୟାଚ୍କୁ ଜିତିବାକୁ ହେଲେ ଭାରତକୁ ଦ୍ୱିତୀୟ ଇନିଂସ୍ର ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଏଥିସହ ଇଂଲଣ୍ଡକୁ ବିଶାଳ ଟାର୍ଗେଟ ଦେବାକୁ ପଡ଼ିବ। ପପ୍ଙ୍କ ବ୍ୟତୀତ ନିମ୍ନକ୍ରମରେ ଜନ୍ନି ବେୟାରଷ୍ଟୋ ୩୭, ମୋଇନ ଅଲୀ ୩୫ ଓ କ୍ରିସ ୱିକ୍ସ ୫୦ ରନ୍ର ଇନିଂସ ଖେଳିଛନ୍ତି। ଗୁରୁବାରର ୫୩/୩ରୁ ଆଜି ଇଂଲଣ୍ଡ ଇନିଂସ ଆରମ୍ଭ କରିଥିଲା। ତେବେ ଉମେଶ ଯାଦବ ଭାରତକୁ ସକାଳୁ ସକାଳୁ ସଫଳତା ଦେଇଥିଲେ। ସେ ପ୍ରଥମେ କ୍ରେଗ ଓଭରଟନ୍(୧) ଓ ପରେ ଡାୱିଡ ମଲାନ(୩୧)ଙ୍କୁ ଆଉଟ କରିଥିଲେ। ୬୨ ରନ୍ରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଇଂଲଣ୍ଡକୁ ଦାବି ପାଇଁ ଭାରତ ପାଖରେ ସୁଯୋଗ ରହିଥିଲା। ହେଲେ ପପ୍ ଓ ବେୟାରଷ୍ଟୋ ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଉଭୟ ଆଟାକିଂ ଶଟ୍ ଖେଳି ଭାରତୀୟ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ। ଲଞ୍ଚ ସୁଦ୍ଧା ସେମାନେ ଇଂଲଣ୍ଡକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୩୯ରେ ପହଞ୍ଚାଇଥିଲେ। ଲଞ୍ଚ ପରେ ୩୭ ରନ୍ କରିଥିବା ବେୟରାଷ୍ଟୋଙ୍କୁ ମହମ୍ମଦ ସିରାଜ ଆଉଟ କରିଦେଇଥିଲେ। ହେଲେ ପପଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ସେ ବେଶ ସତର୍କତାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ମୋଇନ ଅଲୀଙ୍କୁ ସାଥୀ କରି ସେ ଦଳୀୟ ସ୍କୋରୁ ୨୨୨ରେ ପହଞ୍ଚାଇଥିଲେ। ଏହି ସମୟରେ ମୋଇନ ଅଲୀ(୨୭)ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ କରିଥିଲେ। ହେଲେ ଆଉଟ ହେବା ପୂର୍ବରୁ ସେ ପପ୍ଙ୍କ ସହ ମିଶି ୭ମ ୱିକେଟ ପାଇଁ ଇଂଲଣ୍ଡ ଖାତାରେ ୭୧ ରନ୍ ଯୋଡ଼ିଥିଲେ। ଅଲୀ ଆଉଟ ହେବା ପରେ ପପ୍ ଲଢ଼େଇ କରି ଦଳୀୟ ସ୍କୋରକୁ ୨୫୦ରେ ପହଞ୍ଚାଇଥିଲେ। ସେ ଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ଶାର୍ଦ୍ଦୁଲ ଠାକୁର କ୍ଲିନବୋଲ୍ଡ କରି ଇଂଲଣ୍ଡକୁ ୮ମ ଝଟକା ଦେଇଥିଲେ। ଆଉଟ ହେବା ବେଳକୁ ସେ ୬ଟି ଚୌକା ବଳରେ ୮୧ ରନ୍ କରିଥିଲେ। ଏହାପରେ ଓଲି ରବିନସନ(୫) ବେଶୀ ସମୟ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ତାଙ୍କ ୱିକେଟ ଜାଡେଜାଙ୍କ ଖାତାକୁ ଯାଇଥିଲା। ଶେଷ ଭାଗରେ ୱକ୍ସ ଦମଦାର ବ୍ୟାଟିଂ କରିଥିଲେ। ସେ ନିଜର ଅର୍ଦ୍ଧଶତକ ହାସଲ କରି ଇଂଲଣ୍ଡର ଲିଡ୍କୁ ୯୯ ରନ୍ରେ ପହଞ୍ଚାଇଥିଲେ। ଦଳୀୟ ସ୍କୋର ୨୯୦ରେ ଥିବା ବେଳେ ୱକ୍ସ ଶେଷ ବ୍ୟାଟସମ୍ୟାନ୍ ଭାବେ ୫୦ ରନ୍ କରି ରନ ଆଉଟ ହୋଇଥିଲେ।
