ୟୁପିରେ ପୁଣି ବିଜେପି ସରକାର : ସର୍ଭେ
ଲକ୍ଷ୍ନୌ: ଉତର ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଜନତା ମୁଡ୍ ପରଖିବା ପାଇଁ ସର୍ଭେ କରିଛି ଏବିପି-ସି ଭୋଟର । ସର୍ଭେ ଅନୁଯାୟୀ ରାଜ୍ୟରେ ପୁଣି ଥରେ ବିଜେପି କ୍ଷମତାକୁ ଫେରୁଥିବା ଜଣା ପଡିଛି । ଉତର ପ୍ରଦେଶ ଜନତା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ପୁନଃ ଭରସା ପ୍ରକଟ୍ କରିଛନ୍ତି । କିନ୍ତୁ ସିଟ୍ ସଂଖ୍ୟା କିଛିଟା ହ୍ରାସ ପାଉଥିବା ପୂର୍ବାନୁମାନ କରାଯାଇଛି । ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନ ଜିତିବାକୁ ହେଲେ ୟୁପି ଜିତିବା ଜରୁରୀ । କାରଣ ଏଠାରେ ସର୍ବାଧିକ ୮୦ ଲୋକସଭା ଆସନ ରହିଛି ।
ସର୍ଭେ ମୁତାବକ, ଉତର ପ୍ରଦେଶରେ ବିଜେପିକୁ ୨୫୯ ରୁ ୨୬୭ ଆସନ ମିଳିପାରେ । ଅଖିଳେଶ ଯାଦବଙ୍କ ସମାଜବାଦ ପାର୍ଟିକୁ ୧୦୯ ରୁ ୧୧୭ ଆସନ ମିଳିପାରେ ବୋଲି ସର୍ଭେରେ ପୂର୍ବାନୁମାନ କରାଯାଇଛି । ସେହି ପରି ବିଏସପିକୁ ୧୨ ରୁ ୧୬ ଆସନ, କଂଗ୍ରେସକୁ ୩ ରୁ ୭ ଏବଂ ଅନ୍ୟକୁ ୬ ରୁ ୧୦ ଆସନ ମିଳିପାରେ । ଗତ ଥର ବିଜେପି ରାଜ୍ୟରେ ୩୨୫ ଆସନ ଏବଂ ସମାଜବାଦ ପାର୍ଟି ୪୮ ଆସନରେ ବିଜୟୀ ହୋଇଥିଲେ । ଦେଖିବାକୁ ଗଲେ ବିଜେପିର ୬୨ ରୁ ୬୫ ଆସନ କ୍ଷତି ଘଟୁଛି । ଅପରପକ୍ଷେ ଫାଇଦାରେ ନଜର ଆସୁଛି ସମାଜବାଦ ପାର୍ଟି । ବିଏସପି ଓ କଂଗ୍ରେସ ନିଜର ଅସ୍ଥିତ୍ୱ ବଂଚାଇବାକୁ ସଂଷର୍ଷ କରିବାକୁ ପଡୁଥିବା ସର୍ଭେରୁ ସାମ୍ନାକୁ ଆସିଛି । ଭୋଟ୍ ପ୍ରତିଶତ ଉପରେ ନଜର ପକାଇଲେ ବିଜେପି ମେଂଟକୁ ପ୍ରାୟ ୪୨ ପ୍ରତିଶତ, ସମାଜବାଦୀ ପାର୍ଟି ମେଂଟକୁ ୩୦ ପ୍ରତିଶତ, ବହୁଜନ ସମାଜ ପାର୍ଟିକୁ ୧୬ ପ୍ରତିଶତ, କଂଗ୍ରେସକୁ ୫ ପ୍ରତିଶତ ଓ ଅନ୍ୟକୁ ୭ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ସର୍ଭେରେ କୁହାଯାଇଛି । ଉତର ପ୍ରଦେଶରେ କେଉଁ ପ୍ରସଙ୍ଗ ଉପରେ ଜନତା ଭୋଟ୍ କରିବେ । ଏହାର ଉତରରେ ୩ ପ୍ରତିଶତ ଭ୍ରଷ୍ଟାଚାର, ୩୯ ପ୍ରତିଶତ ବେରୋଜଗାରୀ, ୨୬ ପ୍ରତିଶତ ଦରବୃଦ୍ଧି, ୧୯ ପ୍ରତିଶତ କୃଷି, ୧୦ ପ୍ରତିଶତ କରୋନା ଓ ୩ ପ୍ରତିଶତ ଅନ୍ୟ ପ୍ରସଙ୍ଗ ଉପରେ ରହିଛି । ସର୍ଭେରେ ୪୫ ପ୍ରତିଶତ ଲୋକଙ୍କ କହିବା କଥା ସେମାନେ ୟୁପିରେ ଯୋଗୀ ସରକାରଙ୍କ କାମରେ ବହୁତ ସନ୍ତୁଷ୍ଟ । ୨୦ ପ୍ରତିଶତ କମ ସନ୍ତୁଷ୍ଟ, ୩୪ ପ୍ରତିଶତ ଅସନ୍ତୁଷ୍ଟ ଥିବା କହିଛନ୍ତି ।
