ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବାଜି ମାରିଲା ‘ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ-୧୯’
- ଶିଳ୍ପୀ କେଶୁ ଦାସଙ୍କ ନିର୍ଦ୍ଦେଶନାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା
ବାଲେଶ୍ୱର : ବାଲେଶ୍ଵର ଜିଲା କୁଳଡିହା ଅଭୟାରଣ୍ୟ ପାଦ ଦେଶରେ ଥିବା ଏହି ଗାଁରେ ବଣ ମଲ୍ଲି ବଣରେ ଫୁଟିଝଡ଼ିବା ଭଳି ଏଭଳି ଏକ ପ୍ରତିଭା ଚିହ୍ନଟ କରିଛନ୍ତି ଶିଳ୍ପୀ କେଶୁ ଦାସ। ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତର ବାବନ୍ଧ ଗାଁରେ ବାସ କରୁଥିବା ଆଦିବାସୀ ମଦିଆ କୁମ୍ଭାର ପରିବାରର ଝିଅ ସିଲି ସପ୍ତମ ଶ୍ରେଣୀରେ ପାଠ ପଢ଼େ । ସେ ଜଣେ କୁନି ଖପରା ଶିଳ୍ପୀ । କୋରନା ସମୟରେ ସେ ତାର ପାଠପଢ଼ା ସହ ବାପା ସୁରେନ୍ଦ୍ର ବେହେରା ଓ ମାଆ ସାରଥି ବେହେରାଙ୍କୁ ଘର କାମରେ ମଧ୍ୟ ସହଯୋଗ କରେ। ଗାଁ ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ସହ ଗାଁରେ ପଡିଥିବା ଭଙ୍ଗା ହାଣ୍ଡି ଖପରା କାତିକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ସବୁ କାନ୍ଥ ଆଙ୍କୁଥିବାର ଦୃଶ୍ୟକୁ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଛି ୧୦ ମିନିଟ କ୍ଷୁଦ୍ର ଚଳଚ୍ଚିତ୍ରରେ। ଜେବିଏସ୍ ଓ ଓରିଫାର୍ମିଙ୍ଗ, ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ୨୦୨୧ ରେ ବାଲେଶ୍ଵରର ବିଶିଷ୍ଟ ଶିଳ୍ପୀ କେଶୁଦାସ ନିର୍ଦ୍ଦେଶିତ – ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ (କୋରନା କାଳରେ ଜଣେ କୁନି ଖପରାଶିଳ୍ପୀ) ମନୋନୀତ ହୋଇଛି । ଏହାକୁ କୁମାର ବିରାଜ ଏଡିଟିଂ କରିଥିବା ବେଳେ ବଣ ଧୂଳିର ଫୁଲର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ ସହଯୋଗ କରିଥିଲେ । ବାବନ୍ଧ ଗ୍ରାମର ବୈଦ୍ୟନାଥ ବେହେରା ଓ କୁଶ ବେହେରା ପ୍ରମୁଖ ମଧ୍ୟ ବହୁତ ସହଯୋଗ କରିଥିଲେ।
ଭାରତ ସହ ବ୍ରାଜ଼ୀଲ, ଫ୍ରାନ୍ସ, ଆଫଗାନିସ୍ଥାନ, ଆଫ୍ରିକା, ମୋରୋକୋ, ଇସ୍ରାଏଲ, ଇରାକ, ଇରାନ, ପର୍ତ୍ତୁଗାଲ, ବାଙ୍ଗଲାଦେଶ, ଉଜ଼ବେକିସ୍ଥାନ, ଆଲଜେରିଆରୁ ୨୭୫ଟି ଆସିଥିବା ବେଳେ ଓଡ଼ିଶାର ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇଛି । ବାଲେଶ୍ଵରରୁ ଏହା ଏକମାତ୍ର ଫିଲ୍ମ ମନୋନୀତ ହୋଇଛି। ଏହି ଖବର ଜାଣିବା ପରେ କଳା ସଂସ୍କୃତି ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଶିଳ୍ପୀ କେସୁ ଦାସଙ୍କ ଏଭଳି ନିଆରା ପ୍ରୟାସକୁ ଭୁୟସୀ ପ୍ରଶଂସା କରଯାଇଛି ।

