ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨ ଜଣ, ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି । ଦୈନିକ କରୋନା ଜନିତ ମୃତ୍ୟୁ ଏକ ଅଙ୍କକୁ ହ୍ରାସ ପାଇଥିଲେ ମଧ୍ୟ ବାଲେଶ୍ୱରରେ ଜଣେ ୬ ବର୍ଷର ଶିଶୁକନ୍ୟା କରୋନାରେ ପ୍ରାଣ ହରାଇବା ଘଟଣା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ୦୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୦,୧୦,୦୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୯୪,୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ୭,୩୪୫ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୮,୦୩୫ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
