ଆଜିଠୁ ଯୁକ୍ତ୨ ଅସନ୍ତୁଷ୍ଟଙ୍କ ଅନ୍ଲାଇନ୍ ଆବେଦନ
ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ହେବାକୁ ଥିବା ସ୍ବତନ୍ତ୍ର ପରୀକ୍ଷା ଲାଗି ଶୁକ୍ରବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଛାତ୍ରଛାତ୍ରୀ ଆସନ୍ତା ୩ ତାରିଖ ଅପରାହ୍ଣ ୨ଟାରୁ ୯ ତାରିଖ ଅପରାହ୍ଣ ଗୋଟିଏ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ କଲେଜଗୁଡ଼ିକୁ ଲିଙ୍କ୍ ପଠାଯାଇଛି। ଛାତ୍ରଛାତ୍ରୀ ନିଜ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍ସ ଇ-ସ୍ପେସ୍ ମାଧ୍ୟମରେ ପଞ୍ଜୀକରଣ କରିବେ। ପରୀକ୍ଷା ପାଇଁ ପଞ୍ଜୀକରଣ ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ। ସମସ୍ତ ବିଷୟର ପରୀକ୍ଷା ହେବନି। ବରଂ କେତେକ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ। ସେଥିରେ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହାକୁ ଆଧାର କରି ଅନ୍ୟ ବିଷୟରେ ମାର୍କ ପ୍ରଦାନ କରାଯିବ।ପଞ୍ଜୀକରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ ହେବ। ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ପ୍ରଶ୍ନପତ୍ର ଢାଞ୍ଚାରେ ବି କିଛି ପରିବର୍ତନ ହେବନି ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନା ଯେ, ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ। ଚଳିତବର୍ଷ ବିଜ୍ଞାନରେ ବିଜ୍ଞାନରେ ୮୯ ହଜାର ୯୫୧ ପିଲା ପାସ୍ କରିଛନ୍ତି। ସେଥିରୁ ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬୯୪୩ ଓ ତୃତୀୟ ଶ୍ରେଣୀରେ ୧୪୬୩୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି। ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଛନ୍ତି। ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫%। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ୍ ୮ ହଜାର ୩୫୫ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ପାସ୍ ୯୦୬୬ ଜଣ ପିଲା। ପରୀକ୍ଷା ନଦେଇ ପିଲାମାନଙ୍କ ରେଜଲ୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ କେତେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ମନରେ ଥିବା ଅସନ୍ତୋଷ ଦୂର କରିବା ପାଇଁ ଅଫ୍ଲାଇନ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ସେପ୍ଟେମ୍ବର ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି।
