‘ୱେବ୍ ପୋର୍ଟାଲ୍’ ଏବଂ ‘ୟୁଟ୍ୟୁବ୍ ଚାନେଲ୍’ ଗୁଡ଼ିକ କାର୍ଯ୍ୟକଳାପ ଉପରେ ସୁପ୍ରିମ୍କୋର୍ଟଙ୍କ ଉଦ୍ବେଗ
ନୂଆଦିଲ୍ଲୀ : ନିୟନ୍ତ୍ରଣକାରୀ ବ୍ୟବସ୍ଥା ନ ଥିବାରୁ ଅବାଧରେ ଅସତ୍ୟ ସମ୍ବାଦ ପରିବେଶଣ କରିବା ସହ ସମ୍ମାନହାନୀ କରିଚାଲୁଥିବା ‘ୱେବ୍ ପୋର୍ଟାଲ୍’ ଏବଂ ‘ୟୁଟ୍ୟୁବ୍ ଚାନେଲ୍’ଗୁଡ଼ିକ କାର୍ଯ୍ୟକଳାପ ଉପରେ ସୁପ୍ରିମ୍ କୋର୍ଟ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ସେମାନେ କେବଳ କ୍ଷମତାଶୀଳଙ୍କ କଥା ଶୁଣି ବିନା କୌଣସି ଉତ୍ତରଦାୟିତ୍ବରେ ବିଚାରପତି ଏବଂ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ଯାହା ନାହିଁ ତାହା ଲେଖନ୍ତି। ଭାରତର ପ୍ରଧାନ ବିଚାରପତି, ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାପତି ଏ. ଏସ୍. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ଅସତ୍ୟ ସମ୍ବାଦ ଏବଂ ୱେବ୍ ପୋର୍ଟାଲ୍ ଓ ୟୁଟ୍ୟୁବ୍ ଚାନେଲ୍ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ୟୁଟ୍ୟୁବ୍ ଚାନେଲ୍ ଖୋଲିଲେ ଜାଣିପାରିବେ ଅସତ୍ୟ ସମ୍ବାଦ କେମିତି ଅବାଧରେ ପ୍ରସାରିତ ହୋଇଚାଲୁଛି। ସେହିପରି, ଯେ କେହି ମଧ୍ୟ ‘ୟୁଟ୍ୟୁବ୍’ରେ ଚାନେଲ୍ ଚଳାଇ ପାରୁଛି।
ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ସୁପ୍ରିମ୍ କୋର୍ଟ ପଚାରିଲେ, ବ୍ୟକ୍ତିଗତ ଗଣମାଧ୍ୟମ ସେକ୍ସନ୍ରେ ପ୍ରଦର୍ଶୀତ ହେଉଥିବା ସବୁ ପ୍ରସଙ୍ଗରେ ସାମ୍ପ୍ରଦାୟିକ ମନୋଭାବ ରହୁଛି। ପରିଶେଷରେ ଦେଶର ଦୁର୍ନାମ ହେଉଛି। ଏହି ସବୁ ବ୍ୟକ୍ତିଗତ ଗଣମାଧ୍ୟମ ଚାନେଲ୍ଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ଆପଣ କେବେ ଉଦ୍ୟମ କରିଛନ୍ତି? ପ୍ରତ୍ୟୁତ୍ତର ଦେଇ ମେହେଟ୍ଟା କହିଲେ, ଭାରତର ପ୍ରଧାନ ବିଚାରପତି ଚିହ୍ନିତ କରିଥିବା ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ନୂତନ ‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ’ କରିଛନ୍ତି। କିନ୍ତୁ, ଏହି ନୂତନ ନିୟମଗୁଡ଼ିକୁ ଚାଲେଞ୍ଜ୍ କରି ହାଇକୋର୍ଟମାନଙ୍କରେ ଅନେକ ପିଟିସନ୍ ଦାଖଲ କରାଯାଇଛି। ସେ ସବୁ ପିଟିସନ୍ଗୁଡ଼ିକୁ ସୁପ୍ରିମ୍କୋର୍ଟଙ୍କ ନିକଟକୁ ପଠାଇ ଦେବା ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଏହା ବ୍ୟତିରେକେ, ‘କେବଲ୍ ରୁଲ୍ସ୍ ଆମେଣ୍ଡମେଣ୍ଟ୍’ ବିରୋଧରେ ‘ଏନ୍ବିଏସ୍ଏ’ ଫାଇଲ୍ କରିଥିବା ପିଟିସନ୍ର ମଧ୍ୟ ସୁପ୍ରିମ୍କୋର୍ଟ ଶୁଣାଣି କରିବେ। ୬ ସପ୍ତାହ ପରେ ତାହାର ଶୁଣାଣି ହେବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
