୧୨୫ ଟଙ୍କିଆ ସ୍ୱତନ୍ତ୍ର ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ
- ଇସ୍କନର ସଂସ୍ଥାପକ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ
ନୂଆଦିଲ୍ଳୀ : ଇସ୍କନ ମାଧ୍ୟମରେ ଦେଶ ବିଦେଶରେ କୃଷ୍ଣ ଭକ୍ତିର ପ୍ରଚାର ପ୍ରସାର କରିଥିବା ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି । ଏହା ଜରିଆରେ ତାଙ୍କ ସ୍ମୁତିକୁ ଚିରସ୍ଥାୟୀ କରାଯାଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ମୁଦ୍ରା ଜାରି କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମଙ୍ଗଳବାର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଥିଲା ଏବଂ ବୁଧବାର ଆମେ ଶ୍ରୀ ପ୍ରଭୁପାଦ ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ କରୁଛେ । ଏମିତି ଲାଗୁଛି ଯେପରି ସାଧନାର ସୁଖ ଓ ସନ୍ତୋଷ ଏକ ସଙ୍ଗେ ମିଶି ଯାଇଛନ୍ତି । ଏହି ଭାବକୁ ଆଜି ପୂରା ଦୁନିଆରେ ସ୍ୱାମୀ ପ୍ରଭୁପାଦଙ୍କ ଲକ୍ଷାଧିକ କୋଟି ଅନୁଗାମୀ କୃଷ୍ଣ ଭକ୍ତ ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି ଏମିତି ସୁଖଦ ସଂଯୋଗ ଯେଉଁଠି ମହାନ ଦେଶଭକ୍ତଙ୍କ ୧୨୫ତମ ଜନ୍ମଦିନ ଏମିତି ସମୟରେ ପାଳନ କରାଯାଉଛି, ଯେଉଁଠି ଦେଶ ନିଜ ସ୍ୱାଧୀନତାର ୭୫ ବର୍ଷପୂର୍ତିର ଅମୃତ ମହୋତ୍ସବ ପାଳନ କରୁଛି ।

