ଆୟକର ବିଭାଗରେ ପଦୋନ୍ନତି : ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଆୟକର କମିଶନର
ଭୁବନେଶ୍ୱର : ଆୟକର ବିଭାଗରେ ୩୬ ଜଣ ପ୍ରଧାନ ଆୟକର କମିଶନରଙ୍କୁ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପରେ ସେମାନେ ମୁଖ୍ୟ ଆୟକର କମିଶନର ଭାବରେ କାର୍ଯ୍ୟ ନିର୍ବାହ କରିବେ । ଏଥି ମଧ୍ୟରେ ୪ ଜଣ ଓଡ଼ିଆ ଅଫିସର୍ ଅନ୍ତର୍ଭୁକ୍ତ। ସେମାନେ ହେଲେ ମନୋରଞ୍ଜନ ପାଣିଗ୍ରାହୀ, ବିଜୟାନନ୍ଦ ପୃଷେଠ୍, ଦେବେନ୍ଦ୍ର ନାରାୟଣ କର ଏବଂ ସୀମାଚଳ ଦାଶ।
ସୂଚନା ଯେ, ମନୋରଞ୍ଜନ ପାଣିଗ୍ରାହୀ ବର୍ତ୍ତମାନ କଟକରେ ପ୍ରଧାନ ଆୟକର କମିଶନର ଭାବରେ ଅବସ୍ଥାପିତ। ଶ୍ରୀ ପାଣିଗ୍ରାହୀ ଆୟକର ବିଭାଗର ପ୍ରାୟ ସମସ୍ତ କ୍ଷେତ୍ରରେ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଓଡ଼ିଶା ସରକାରଙ୍କର ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ଥିଲେ । ତାଙ୍କର ପାଞ୍ଚ ବର୍ଷ ଅବଧୂ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି। ଶ୍ରୀ ବିଜୟାନନ୍ଦ ପୃଷେଠ୍ ବର୍ତ୍ତମାନ ସମଲପୁରର ପ୍ରଧାନ ଆୟକର କମିଶନର । ଏହା ପୂର୍ବରୁ ସେ କଟକରେ ଅବସ୍ଥାପିତ ଥିଲେ। ଓଡ଼ିଶା ବାହାରେ ମଧ୍ୟ ସେ ଦକ୍ଷତାର ସହ ଅନେକ ବର୍ଷ କାର୍ଯ୍ୟ କରିଛନ୍ତି । ଏକା ସମୟରେ ୪ ଜଣ ଓଡ଼ିଶାର ଅଧିକାରୀ ଆୟକର ବିଭାଗର ଉଚ୍ଚ ଆସନକୁ ଯିବା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଖୁସିର ବିଷୟ ।
