ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ : ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ଲୋକମାନଙ୍କ ଜବୀନଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ନେଇ ମଙ୍ଗଳବାର ପ୍ରେସବାର୍ତ୍ତା ଜରିଆରେ ସୂଚନା ଦେଇଥିଲେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା । କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି । ତେଣୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ କୋହଳ ହୋଇଥିଲେ ସୁଦ୍ଧା କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର । ଏହିକ୍ରମରେ ଆଜିଠୁ ସେପ୍ଟେମ୍ବର ମାସର ନୂଆ କୋଭିଡ୍ ଗାଇଡଲାଇନ୍ ଆରମ୍ଭ ହେବ । ଏହି ଗାଇଡଲାଇନ୍ ଅନୁଯାୟୀ ରାଜ୍ୟରେ ସପ୍ତାହନ୍ତ ସଟ୍ ଡାଉନ୍ ଉଠାଇ ଦିଆଯାଇଛି । କିନ୍ତୁ ପୁରୀ ଶ୍ରୀମନ୍ଦିର ପୂର୍ବ ଭଳି ଶନିବାର ଓ ରବିବାର ବନ୍ଦ ରହିବ । ଆସନ୍ତା ୧୦ ତାରିଖରେ ଗଣେଶ ପୂଜାରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।
ନୂଆ ଗାଇଡଲାଇନ୍ ଅନୁସାରେ ସାପ୍ତାହିକ ସଟଡାଉନ୍ ହଟାଇ ଦିଆଯାଇଥିବା ବେଳେ କେବଳ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିଛି ନାଇଟ୍ କର୍ଫ୍ୟୁ । ହଲ୍, ମଲ୍, ପୂର୍ଣ୍ଣ କ୍ଷମତା ସହିତ ଖୋଲା ରହିବ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ଏଣିକି ୨୫୦ ଲୋକଙ୍କୁ ଅନୁମତି ମିଳିବ। ଏହି ୨୫୦ ସଂଖ୍ୟା ଅତିଥି, ଆୟୋଜକ ଓ କର୍ମକର୍ତ୍ତାଙ୍କୁ ମିଶାଇ ରହିବ। ବିବାହ ଶୋଭାଯାତ୍ରାରେ କେବଳ ୫୦ ଜଣ ସାମିଲ ହୋଇପାରିବେ। ତେବେ ସେପ୍ଟେମ୍ବରରେ ମେଳା, ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ । ଆଗକୁ ଗଣେଶ ପୂଜା, ବିଶ୍ବକର୍ମା ପୂଜା ନୂଆଖାଇ ଭଳି ପାର୍ବଣ । ତେଣୁ ପୂଜା ପାର୍ବଣ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ପାଳନ ହେବ। ଏଥିପାଇଁ ଅଗଷ୍ଟ ୯ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଆୟୋଜକ ପାଳନ କରିବେ। ଏଥିସହିତ କରୋନାର ସାଧାରଣ ନିୟମାବଳୀ ପାଳନ କରିବା ଲାଗି ଏସଆରସି ପୁଣି ମନେପକାଇ ଦେଇଛନ୍ତି। ନୂଆ ଗାଇଡଲାଇନ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାପରେ ସ୍ଥିତିକୁ ଦେଖି ରାଜ୍ୟ ସରକାର ଅକ୍ଟୋବର ଗାଇଡଲାଇନ୍ ଘୋଷଣା କରିବେ।
