ବାଲେଶ୍ୱର : ଯୁକ୍ତ୨ ରି-ଆଡ଼ମିସନ ଫି’ ଓ ଛାଡ଼ ତାରିଖ ଘୁଞ୍ଚାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟରେ ମଙ୍ଗଳବାର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯୁକ୍ତ୨ ଦ୍ୱିତୀୟ ବର୍ଷ କଳା ଓ ବିଜ୍ଞାନ ଶ୍ରେଣୀର ରି-ଆଡ଼ମିସନ ଫି’ଛାଡ଼ ସହ ରି-ଆଡ଼ମିସନ ତାରିଖ ଘୁଞ୍ଚାଇବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅଧ୍ୟକ୍ଷ ପ୍ରାଧ୍ୟାପକ ବସନ୍ତ କୁମାର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ସମସ୍ୟାର ସମାଧାନ ନ ହେବାରୁ କଲେଜ ଫାଟକ ସମ୍ମୁଖରେ ଛାତ୍ରୀଛାତ୍ର ଧାରଣାରେ ବସିରହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କୋଭିଡ୍ କାଳରେ ଛାତ୍ରୀଛାତ୍ରଙ୍କ ପରିବାରର ଆର୍ôଥକ ମାନଦଣ୍ଡ ଭୁଶୁଡ଼ି ପଡ଼ିଥିବା ଓ ଏକ ବର୍ଷ ଧରି କଲେଜ ବନ୍ଦ ରହିଥିବା କାରଣ ଦର୍ଶାଇ ମାସିକ ଦରମା ସହ ଏହି ଫି’ ଛାଡ଼ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଘଟଣାସ୍ଥଳରେ ଓଆଇସି କମଳାକାନ୍ତ ଦାସ, ଏଏସ୍ଆଇ ହେମନ୍ତ ଦେବ ପହଞ୍ôଚ କର୍ତୃପକ୍ଷଙ୍କ ସହ ଆଲୋଚନା କରି ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା କରିଥିଲେ । ଅଧ୍ୟକ୍ଷ ଭୋଇ ଏ ସମ୍ପର୍କରେ ଗଭର୍ଣ୍ଣିଙ୍ଗ ବଡ଼ି ମିଟିଂରେ ଆଲୋଚନା ପୂର୍ବକ ଚେୟାରମ୍ୟାନ ଉପଜିଲାପାଳଙ୍କୁ ଜଣାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ନୋଟିଫିକେସନ ପରେ ରି ଆଡ଼ମିସନ ହେବ ବୋଲି କୁହାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆଲୋଚନା ବେଳେ ପ୍ରଶାସନିକ ଅଧିକାରୀ ଡ. ତପନ କୁମାର ବେହେରା, ଡ. ପ୍ରସନ୍ନ ମନ୍ତ୍ରୀ, ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ସତ୍ୟେନ୍ଦ୍ର କୁମାର ପାଲ, ଲକ୍ଷୀରାମ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।
