ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର, ପୂର୍ଣ୍ଣ ସ୍ୱାଧୀନ ଦେଶ ଘୋଷଣା
କାବୁଲ୍ : ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର । ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟାଇ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ସେନା ଆଫଗାନିସ୍ତାନ ଛାଡିଛନ୍ତି । ତେବା ସେନା ଦେଶ ଛାଡିଯିବା ପରେ ତାଲିବାନୀ ଖୁସିରେ ମସଗୁଲ ହୋଇଛନ୍ତି । ଆମେରିକା ସୈନ୍ୟ ବିମାନରେ ଯିବା ପରେ ତାଲିବାନ୍ ଆଫଗାନିସ୍ତାନକୁ ପୂର୍ଣ୍ଣ ସ୍ୱାଧୀନ ଦେଶ ଭାବେ ଘୋଷଣା କରିଛି ।
ମଙ୍ଗଳବାର ପ୍ରତ୍ୟୁଷରେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି, ଆମେରିକା ସେନା କାବୁଲ୍ ବିମାନ ବନ୍ଦର ପରିତ୍ୟାଗ କଲା, ଏବଂ ଆମ ଦେଶ ପୂର୍ଣ୍ଣ ସ୍ବଧୀନତା ପାଇଲା। କାବୁଲ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ମୁତୟନ ହୋଇଥିବା ହେମାଦ୍ ଶେର୍ଜାଦ୍ ନାମରେ ଜଣେ ତାଲିବାନ ସଂଗ୍ରାମୀ କହିଛନ୍ତି, ଶେଷ ପାଞ୍ଚଟି ବିମାନ ଉଡ଼ି ଚାଲିଗଲା, ସଂଗ୍ରାମର ଅବସାନ ଘଟିଲା! ମୁଁ ମୋର ଆନନ୍ଦ ଭାଷାରେ ପ୍ରକାଶ କରିପାରୁ ନାହିଁ… ଆମର ୨୦ ବର୍ଷର ଆତ୍ମବଳି ସଫଳ ହୋଇଛି। ତେଣେ, ୱାସିଂଟନ୍ରେ ‘ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍’ର ମୁଖ୍ୟ ଜେନେରାଲ୍ ଫ୍ରାଙ୍କ୍ ମ୍ୟାକ୍କେନ୍ଜି ଆମେରିକାର ଦୀର୍ଘତମ ଯୁଦ୍ଧ ଏବଂ ଜନସ୍ଥାନାନ୍ତରଣ ଉଦ୍ୟମର ପରିସମାପ୍ତି ଘୋଷଣା କରିବାକୁ ଯାଇ କହିଛନ୍ତି, ଇଷ୍ଟର୍ଣ୍ଣ ଡେଲାଇଟ୍ ଟାଇମ୍ ଅନୁସାରେ ଅପରାହ୍ଣ ୩.୨୯ରେ (କାବୁଲ୍ରେ ସୋମବାର ମଧ୍ୟରାତ୍ରର ଗୋଟିଏ ମିନିଟ୍ ପୂର୍ବରୁ) କାବୁଲ୍ ବିମାନ ବନ୍ଦରରୁ ଶେଷ ବିମାନ ସବୁ ଉଡ଼ାଣ ଆରମ୍ଭ କଲା।
ସୋମବାର ପ୍ରାୟ ମଧ୍ୟରାତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାର ଶେଷ ବିମାନଟି ରାତ୍ରୀର ଆକାଶରେ ଅଦୃଶ୍ୟ ହୋଇଯିବା ପରେ ତାଲିବାନ ସଂଗ୍ରାମୀମାନେ ଶୂନ୍ୟକୁ ଗୁଳି ଚାଳନା କରିବା ସହ ଆତସବାଜି ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ। ବିପ୍ଳବ କରି ବିଶ୍ବର ଅନ୍ୟତମ ଦରିଦ୍ରତମ ରାଷ୍ଟ୍ରରୁ ବିଶ୍ବର ସବୁଠୁ ଶକ୍ତିଶାଳୀ ସେନାକୁ ତଡ଼ିବାରେ ସଫଳ ହୋଇଥିବାରୁ ସେମାନେ ବିଜୟ ଉତ୍ସବ ପାଳିଥିବା କଥା କହିଛନ୍ତି। ଖୁସିରେ ତାଲିବାନ ମାନେ ଆରମ୍ଭ କରିଦେଇଛନ୍ତି ସେଲିବ୍ରେସନ । ବିଳମ୍ୱିତ ରାତିରେ ଆତସବାଜୀ ଓ ଗୁଳିରେ କମ୍ପିଥିଲା କାବୁଲ ମାଟି । ଆକାଶରୁ ହୋଇଥିଲା ଆତସବାଜୀ ଓ ଗୁଳିବର୍ଷା । ତାଲିବାନୀ ଆତଙ୍କୀମାନେ ଶୂନ୍ୟକୁ ଗୁଳି ଚାଳନା କରିବା ସହ ଆତସବାଜି ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ସବୁରି ମୁହଁରେ ଥିଲା ଗୋଟିଏ କଥା ଶକ୍ତିଶାଳୀ ସେନାକୁ ତଡ଼ିବାରେ ଆମେ ସଫଳ । ଆଉ ଖୁସିରେ ପାଳନ କରୁଛୁ ବିଜୟ ଉତ୍ସବ । ସୂଚନା ଯେ, ଆଫଗାନିସ୍ତାନ ଛାଡ଼ିବା ଲାଗି ପୂର୍ବରୁ ଧାର୍ଯ୍ୟ କରିଥିବା ଦିନ ମଙ୍ଗଳବାର ଆଗରୁ ଶେଷ ଦଳକୁ ସୈନ୍ୟ ପ୍ରତ୍ୟାହାର କରିନେଇଥିବା କଥା ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି । ଏଥିସହ ଆମେରିକାର ଦୀର୍ଘତମ ଯୁଦ୍ଧ ଓ ଦୁଇ ସପ୍ତାହ ଧରି ଚାଲିଥିବା ଅବ୍ୟବସ୍ଥିତ ଜନସ୍ଥାନାନ୍ତରଣ ଉଦ୍ୟମର ପରିସମାପ୍ତି ଘଟିଛି ।
