ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ପାଳିତ, ଜଗନ୍ନାଥ ଦର୍ଶନ ବନ୍ଦ
ପୁରୀ : ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନୀତି ପାଳିତ ହୋଇଯାଇଛି । ଜୟ ବିଜୟ ଦ୍ୱାର ନିକଟକୁ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଅଣାଯାଇଥିଲା । ସେଠାରେ ମହାଜନ ସେବାୟତମାନେ ଜନ୍ମୋତ୍ସବ ନୀତି ପାଳନ କରିଥିଲେ । ଆଜି ଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସହ ବିଭିନ୍ନ ଅସୁରଙ୍କ ବଧନୀତି କଂସ ବଧ ପର୍ଯ୍ୟନ୍ତ ଚାଲୁ ରହିବ । ସଂଧ୍ୟାଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ଭଣ୍ଡାର ଘର ସମ୍ମୁଖରେ ପୂଜାପଣ୍ଡାମାନେ ପଞ୍ଛବର୍ଣ୍ଣ ମୁରୁଜରେ ଜନ୍ମ କୁଣ୍ଡଳୀ ଅଙ୍କନ କରିଥିଲେ । ସେଠାରେ ସୁନାର କୃଷ୍ଣ ମୂର୍ତିଙ୍କୁ ରଖାଯାଇ ଦକ୍ଷିଣଘରୁ ମଦନମୋହନଙ୍କୁ ଅଣାଯାଇଥିଲା । ମହାଜନ ସେବକ ଦୁଇ ଜଣ ଦେବକୀ ଓ ବସୁଦେବ ହୋଇ ଜନ୍ମ୍ୀନୀତି ପାଳନ କରିଥିଲେ ପରେ ମଦନମୋହନଙ୍କୁ ନାଭିକଟା ମଣ୍ଡପକୁ ନିଆଯାଇଥିଲା । କୃଷ୍ଣ ଜନ୍ମଠାରୁ ଉପନୟନ ପର୍ଯ୍ୟନ୍ତ ସମସ୍ତ ନୀତି ପାଳନ କରାଯାଇଥିଲା । ଜଗମୋହନ ନିକଟରେ ଦୋଳିରେ ମଦନମୋହନଙ୍କୁ ବସାଇ ଜନ୍ମନୀତି ଶେଷ କରାଯାଇଥିଲା । କରୋନା କଟକଣା ଯୋଗୁ ଶ୍ରୀମନ୍ଦିରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି ।
ପବିତ୍ର ଜନ୍ମାଷ୍ଟମୀରେ ଭକ୍ତମାନେ ଜଗନ୍ନାଥ ଦର୍ଶନ କରି ପାରିବେ ନାହିଁ ବୋଲି ପ୍ରଶାସନ ପୂର୍ବରୁ ସୂଚନା ଦେଇଛି । ଉତ୍ସବରେ ଗହଳିକୁ ଲକ୍ଷ୍ୟ କରି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି । ଲଗାତାର ୩ଦିନ ଜଗା ଦର୍ଶନ ବନ୍ଦ ରହିଥିବାରୁ ଭକ୍ତମାନେ ବ୍ୟାକୁଳିତ ଅବସ୍ଥାରେ ରହିଛନ୍ତି । ଶନି ଓ ରବିବାର ସଟଡ଼ାଉନ ଯୋଗୁଁ ଦର୍ଶନ ବନ୍ଦ ରହିଛି । ରବିବାର ଦିନ ଶ୍ରୀମନ୍ଦିର ଭିତର ଓ ବାହାର ଅଗ୍ନିଶମ ବିଭାଗ ପକ୍ଷରୁ ସ।।ନିଟାଇଜ କରାଯାଇଛି । ମଙ୍ଗଳବାର ଠାରୁ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ସାଧାରଣ ଦର୍ଶନ ଆରମ୍ଭ ହେବ । ଯେଉଁମାନେ ଦର୍ଶନ ପାଇଁ ଯିବେ ସେମାନେ ସାଙ୍ଗରେ ୨ଟି ଟିକା ନେଇଥିବାର ପ୍ରମାଣପତ୍ର କିମ୍ବା ୪ଦିନ ପୂର୍ବରୁ କୋଭିଡ଼ ପରୀକ୍ଷା କରି ନେଗେଟିଭ ରିପୋର୍ଟ ଦେଖାଇ ପାରିବେ । ଏହା ସହ ଆଧାର କାର୍ଡ଼ ସାଥିରେ ଆଣିବା ପାଇଁ ପରାର୍ମଶ ଦିଆଯାଇଛି ।
