ତାଲିବାନ୍ ସହିତ ଜଡ଼ିତ ବାଙ୍ଗଲାଦେଶୀ ଯୁବକକୁ ଗିରଫ କଲା ବିଏସଏଫ
କୋଲକାତା : ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବସିରହାଟ ଥାନା ଅଂଚଳରେ ବେଆଇନ ଭାବେ ସୀମା ପାର୍ କରିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ (ବିଏସଏଫ) ହାତରେ ଧରାପଡି ଗିରଫ ହୋଇଛନ୍ତି ଜହାଙ୍ଗିର ବିଶ୍ୱାସ ନାମକ ଜଣେ ବାଙ୍ଗଲାଦେଶୀ ଯୁବକ । ଏହି ଯୁବକ ତାଲିବାନ୍ ସହିତ ଜଡ଼ିତ ରହିଛି ।
ବାଙ୍ଗଲାଦେଶର ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଜମାତ ଉଲ ମୁଜାହିଦ୍ଦିନ ବାଙ୍ଗଲାଦେଶ (ଜେଏମବି) ସହିତ ତା’ର ସମ୍ବନ୍ଧ ରହିଥିବା ନେଇ ପୂର୍ବରୁ ଖୁଲାସା ହୋଇଛି । ଗତ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନ ଉପରେ ଆତଙ୍କୀ ସଂଗଠନ ତାଲିବାନର କବଜା ପରେ ଏହି ଯୁବକ ଚେନ୍ନାଇରେ ନିଜର ଅନ୍ୟ ୧୦ ଜଣ ସାଥୀଙ୍କ ସହ ମିଶି ଉପଦ୍ରବ କରିବାକୁ ଚେଷ୍ଟା କରିଥିଲା । ଏନେଇ ସୁରକ୍ଷା ଏଜେନ୍ସୀ ମାନଙ୍କୁ ସୂଚନା ମିଳି ସାରିଥିଲା । ଏଥିପାଇଁ ଗିରଫଦାରୀରୁ ବଂଚିବା ପାଇଁ ସେ ପଶ୍ଚିମବଙ୍ଗ ଜରିଆରେ ବାଙ୍ଗଲାଦେଶର ସୀମା ପାର୍ କରି ପଳାୟନ କରିବାକୁ ଲକ୍ଷ୍ୟ ରଖିଥିଲା । ହେଲେ ରାଷ୍ଟ୍ରୀୟ ଯାଂଚ୍ ଏଜେନ୍ସୀ (ଏନଆଇଏ) ତାକୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା । ପଶ୍ଚିମବଙ୍ଗ ପୋଲିସ ଓ ବିଏସଏଫକୁ ଏନେଇ ସତର୍କ କରାଯାଇଥିଲା । ବେଆଇନ ଭାବେ ସେ ବାଙ୍ଗଲାଦେଶ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଗୁରୁବାର ସଂନ୍ଧ୍ୟାରେ ବସିରହାଟ ଅଂଚଳର ଘୋଜାଡାଙ୍ଗା ସୀମା ନିକଟରେ ବିଏସଏଫ ଯବାନ ମାନେ ତାକୁ କାବୁ କରି ନେଇଥିଲେ । ଏହି ଗିରଫଦାରୀର ଦିନକ ପରେ ଅର୍ଥାତ୍ ଶୁକ୍ରବାର ଦିନ ଏନଆଇଏର ତିନି ଜଣିଆ ଟିମ୍ ବସିରହାଟ ଆସିଥିଲେ ଏବଂ ପୋଲିସ ହେପାଜତରେ ଅଭିଯୁକ୍ତକୁ ପଚରା ଉଚରା କରିଥିଲେ । ଏହା ବ୍ୟତୀତ ତାମିଲନାଡ଼ୁରୁ ଚେନ୍ନାଇ ପୋଲିସର ଏକ ଟିମ୍ ମଧ୍ୟ ଆସିଛି । ଏହି ପୋଲିସ ଟିମ୍ ଅଭିଯୁକ୍ତ ଜହାଙ୍ଗିରକୁ ଏନେଇ ପଚରା ଉଚରା କରୁଛନ୍ତି ।
ଏନଆଇଏ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଜହାଙ୍ଗିର ଅନ୍ୟ ୧୦ ଜଣ ବାଙ୍ଗଲାଦେଶୀ ଯୁବକଙ୍କ ସହିତ ମିଶି ଚେନ୍ନାଇରେ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ କରିଥିଲା । ବାଙ୍ଗଲାଦେଶର ସତଖିରା ଜିଲ୍ଲାରେ ରହୁଥିବା ୨୮ ବର୍ଷିୟ ଜହାଙ୍ଗିର ୮ ବର୍ଷ ପୂର୍ବରୁ ଅବୈଧ ଭାବେ ସୀମା ପାର୍ କରି ପଶ୍ଚିମବଙ୍ଗ ଆସିଥିଲା । ସେଠାରୁ ଚେନ୍ନାଇ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ସେଠାରେ କେତେକ ବାଙ୍ଗଲାଦେଶୀ ଯୁବକ ତା ସହିତ କାର୍ଯ୍ୟ କରୁଥିଲେ, ଯେଉଁମାନେ କି ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଚେନ୍ନାଇରେ ଲୁଟ୍, ମନ୍ଦିରରେ ଭଙ୍ଗାରୁଜା ଏବଂ ଅନ୍ୟ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ କରିଥିଲେ । ତେବେ ଦୁଇ ସାଥୀଙ୍କ ଗିରଫଦାରୀ ପରେ ଜହାଙ୍ଗିର ଚେନ୍ନାଇରୁ ପଶ୍ଚିମବଙ୍ଗ ଖସି ପଳାଇ ଆସିଥିଲା । ଏନଆଇଏକୁ ଏନେଇ ସୂଚନା ମିଳିବା ପରେ ପଶ୍ଚିମବଙ୍ଗ ପୋଲିସ ଓ ବିଏସଏଫକୁ ସତର୍କ କରି ଦିଆଯାଇଥିଲା ।
