ଯିଏ ଦଳ ଛାଡିବାକୁ ଚାହୁଛନ୍ତି ଚାଲିଯାନ୍ତୁ : କଂଗ୍ରେସ ପ୍ରଭାରୀ
ଭୁବନେଶ୍ୱର : ଦଳରେ ବିଦ୍ରୋହୀ ସଦସ୍ୟଙ୍କୁ ଦଳ ଛାଡି ଯିବାକୁ କଡା ଭାଷାରେ କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା କଂଗ୍ରେସର ଦୁଇ ଦିନିଆ ବୈଠକରେ ଯୋଗ ଦେବା ପାଇଁ ଆଜି ଭୁବନେଶ୍ୱରରେ ପହଂଚିବା ପରେ ଏଭଳି କହିଛନ୍ତି ଚେଲ୍ଲାକୁମାର । ଦଳ ମଧ୍ୟରେ କନ୍ଦଳକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ ସେ କହିଛନ୍ତି ଯେ ଯେଉଁମାନେ ଦଳ ଛାଡି ଚାଲିଯିବାକୁ ଚାହୁଁଛନ୍ତି ସେମାନେ ଯାଆନ୍ତୁ । ସେମାନେ ଗଲା ପରେ ବି ଅନେକ ଲୋକ ଆସି କଂଗ୍ରେସରେ ଯୋଗଦେବେ । ଯେଉଁମାନେ କଂଗ୍ରେସ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦ୍ୱାର ସବୁବେଳେ ଖୋଲା ଅଛି । ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଦଳର ମୂଳଦୁଆ କେହି ଜଣେ କି ଦୁଇ ଜଣ ବ୍ୟକ୍ତି ନୁହେଁ । କଂଗ୍ରେସ ସବୁବେଳେ ବିଚାର ଧାରାକୁ ନେଇ ଚାଲିଆସିଛି ଏବଂ ଚାଲିବ । ଯଦି ଦଳରେ କେହି ବିଶୃଙ୍ଖଳା କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବନି ।
ସୂଚନା ଯୋଗ୍ୟ କିଛି ଦିନ ତଳେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ କଂଗ୍ରେସରେ ପିିିସିସି ନେତୃତ୍ୱକୁ ନେଇ ବର୍ଷିଥିଲେ । ଏପରିକି ସେ ସିଧାସଳଖ ପିିସିସି ସଭାପତିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଦଳର ନେତା ତଥା ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଆଗାମୀ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନ ନେଇ ଦଳର ଯେଉଁ ରଣନୀତି ବୈଠକ ହୋଇଥିଲା, ସେଥିରେ ମଧ୍ୟ ବିଧାୟକ ତାରା ପ୍ରସାଦ ବାହିନୀପତି କିମ୍ବା ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ଯୋଗ ଦେଇନଥିଲେ । ତେବେ ଆଜି ତାରା ବାହିନୀପତି ତାଙ୍କ ଆଭିମୁଖ୍ୟ ପରିବର୍ତନ କରି ତାଙ୍କର ଓ ପିସିସି ସଭାପତିଙ୍କ ମଧ୍ୟରେ କୌଣସି ସମସ୍ୟା ନଥିବା କହିଥିଲେ ।
