ପୁଂଛ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କବାଦୀ ମୃତ
ପୁଂଛ : ପୁଂଛ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଯବାନ ମାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ସମୟରେ ଅନ୍ୟ ଆତଙ୍କୀ ମାନେ ସେଠାରୁ ଖସି ପାକିସ୍ତାନ ଫେରିଯିବାରେ ସଫଳ ହୋଇଛନ୍ତି । ମୃତ ଆତଙ୍କବାଦୀର ଶବ ଜବତ କରିଛି ସେନା । ମୃତ ଆତଙ୍କବାଦୀର ଶବ ନିକଟରୁ ଏକ ଏକେ-୪୭ ରାଇଫଲ୍ ଜବତ ହୋଇଛି ।
ସୂଚନା ଅନୁସାରେ, ସୋମବାର ସକାଳେ ନିୟନ୍ତ୍ରଣ ରେଖା ନିକଟ ପୁଂଛ ସେକ୍ଟରରେ କିଛି ସଶସ୍ତ୍ର ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରୁଥିବା ଯବାନ ମାନେ ଜାଣିପାରିଥିଲେ । ଏହି ସମୟରେ ଯବାନ ମାନଙ୍କ ଉପସ୍ଥିତି ଜାଣି ପାରି ଆତଙ୍କବାଦୀ ମାନେ ଯବାନ ମାନଙ୍କ ଉପରୁ ଆଖିବୁଜା ଗୁଳି ଚଳାଇଥିଲେ । ପରେ ଯବାନ ମାନେ ଏହାର ପାଲଟା ଜବାବ ରଖିଥିଲେ । ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା । ଅନ୍ୟ ଆତଙ୍କବାଦୀ ମାନେ ସେଠାରୁ ଖସିଯିବା ସହ ପାକିସ୍ତାନ ଆଡକୁ ଫେରିଯାଇଥିଲେ । ମୃତ ଆତଙ୍କବାଦୀର ଶବ ନିକଟରୁ ଏକ ଏକେ-୪୭ ରାଇଫଲ୍ ଜବତ ହୋଇଛି । ଘଟଣା ପରେ ଯବାନ ମାନଙ୍କ ପକ୍ଷରୁ ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଜାରୀ ରହିଛି । ସେନାର ମୁଖପାତ୍ର ଲେଫ୍ଟେନାଂଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରାଯାଇଥିବା ଏବଂ ଜଣେ ଆତଙ୍କୀ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ।
